ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେର୍କେଟାଙ୍କ ଅଧ୍ଯକ୍ଷତାରେ ଜିଲା ପରିଷଦ ଭଵନର ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ସୋମବାର ଆରମ୍ଭ ହୋଇଛି ।
ଏପ୍ରିଲ ମାସ ପ୍ରଥମ ଦୁଇ ସପ୍ତାହ ଜନଗଣନା ଅଧିକାରୀମାନେ (ଆନିମେଟର ଓ ସୁପରଭାଇଜର) ଜିଲାର ପ୍ରତ୍ଯେକ ଘରକୁ ଘର ଯାଇ ସମସ୍ତ ତଥ୍ଯର ସଠିକ ବିବରଣୀ ଜନସାଧାରଣଙ୍କୁ ପଚାରି ନିର୍ଭୁଲ ଭାବରେ ଲିପିବଦ୍ଧ କରିବେ ।
ଦେଶର ଜଣେ ସଚେତନ ନାଗରିକ ହିସାବରେ ସମସ୍ତେ ନିର୍ଭୁଲ ତଥ୍ଯ ଜନଗଣନା ଅଧିକାରୀମାନଙ୍କୁ ଦେବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜନଗଣନା କାର୍ଯ୍ୟକୁ ପ୍ରଥମ ଥରପାଇଁ ଡିଜିଟାଲ ପ୍ରକ୍ରିୟାରେ କରାଯାଉଥିବାରୁ ସେନସସ୍ ପୋର୍ଟାଲରେ କିପରି ତଥ୍ୟ ଅପଲୋଡ୍ କରିପାରିବେ ତାହା ଉପରେ ଡି.ପି.ଏ. ସନ୍ତୋଷ କୁମାର ଆଚାର୍ଯ୍ୟ ଏବଂ ସହକାରୀ ନିର୍ଦ୍ଦେଶକ ସୁଜିତ୍ କୁମାର ପ୍ରଧାନ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବୈଷୟିକ ସହାୟକଙ୍କର ଏଥିରେ ମୁଖ୍ୟ ଭୂମିକା ରହିଛି ଏବଂ ଶତକଡା ୯୦ ଭାଗ କାମ ଚାର୍ଜ ଅଫିସରଙ୍କର ରହିଛି ବୋଲି ସେମାନେ କହିଥିଲେ ।
କୌଣସି ଶିକ୍ଷକ ଜନଗଣନା କାର୍ଯ୍ୟକୁ ମନା କରିପାରିବେ ନାହିଁ । ଆଗାମୀ ଜନଗଣନାକୁ କିପରି ସୁଚାରୁରୂପେ ସମ୍ପାଦନ କରାଯାଇପାରିବ ତାହା ଉପରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲାପାଳ ଶିବାଶୀଷ ବରାଳ, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ଜିଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ ।

