ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ ପୋଲ ଉପରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ନଦୀ ତଳକୁ ଖସିପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଟ୍ରକଟି ସିମେଣ୍ଟ ବୋଝେଇ କରି ଯାଉଥିବା ବେଳେ କୌଣସି କାରଣବଶତଃ ଚାଳକ ନିୟନ୍ତ୍ରଣ ହରାଇଥିଲେ, ଫଳରେ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକରେ ଥିବା ହେଲ୍ପର ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଖବର ପାଇ ଲୋଇସିଂହା ଓ ବଲାଙ୍ଗୀର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ମୃତ ଓ ଆହତ ବ୍ୟକ୍ତିଙ୍କୁ ବାହାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
ଆହତ ହେଲ୍ପରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକଟିକୁ ଉଦ୍ଧାର କରିଥିଲା।

