ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ବିଧିବଦ୍ଧଭାବେ ଅବଗତ କରି ସାରିଛନ୍ତି। ଏହା ଜଣାପଡ଼ିବା ପରେ ଜିଲାରେ ଅସନ୍ତୋଷ ତେଜି ଉଠିଛି। ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବରଗଡ଼ ନାଗରିକ ମଞ୍ଚ ଆହ୍ବାନରେ ମିଳିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ, ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ, ଶ୍ରମିକ ସଂଘର ପ୍ରତିନିଧିଙ୍କ ସମେତ ଅଞ୍ଚଳର ସଚେତନ ନାଗରିକ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ନାଗରିକ ମଞ୍ଚର ସମ୍ପାଦକ ଭବାନୀ ପ୍ରସାଦ ସାହୁ, ସିମେଣ୍ଟ କାରଖାନାର ଅବସରପ୍ରାପ୍ତ ଅଧିକାରୀ ଗୋବିନ୍ଦ ଦାଶ, ୱାର୍କର୍ସ ୟୁନିୟନର ସଞ୍ଜୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।
ପୂର୍ବ ସରକାର ସମୟରେ ବରଗଡ଼ ଜିଲା ସମବାୟ ଚିନିକଳ, ସୂତାକଳ, ପାୱାର ଲୁମ୍ ଭଳି ଆଦି ଶିଳ୍ପାନୁଷ୍ଠାନ ଗୁଡ଼ିକୁ ହରାଇ ସାରିଥିବାବେଳେ ଏବେ ନୂଆଁ ସରକାର ଆସିବା ପରେ ଶିଳ୍ପାୟନର ସାକ୍ଷୀଭାବେ ରହିଥିବା ବରଗଡ଼ ସିମେଣ୍ଟ କାରଖାନାକୁ ବନ୍ଦ କରିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବା ଜିଲାବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଜିଲାରେ ବେରୋଜଗାର ବଢ଼ିବା ସହିତ ଲୋକେ ଦାଦନ ମୁହାଁ ହେବେ ଏବଂ ସିମେଣ୍ଟ କାରଖାନା ଉପରେ ନିର୍ଭର କରି ଆସୁଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପରିବାର ଗୁଜୁରାଣ ମେଣ୍ଟାଇବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୈଠକରେ ଉପସ୍ଥିତ ଲୋକେ ମତ ରଖିଥିଲେ।
ଏଭଳି ସ୍ଥିତିରେ ସିମେଣ୍ଟ କାରଖାନାକୁ ବନ୍ଦ କରି ଦିଆଯିବା ଦୁର୍ଭାଗ୍ୟଜନକ। ଫଳରେ କାରଖାନାକୁ ବନ୍ଦ ନ କରିବା ଦାବି ନେଇ ଆସନ୍ତା ୨୪ତାରିଖ ଜିଲାର ବିଭିନ୍ନ ସଂଗଠନ ସଂଗଠିତ ହୋଇ ଏକ ମିଳିତ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପରବର୍ତ୍ତୀ ସମୟରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଭେଟିବା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ନିଆଯାଇଛି। ତେବେ ନିବେଦନ ସତ୍ତ୍ୱେ କାରଖାନାକୁ ବନ୍ଦ କରି ଦିଆଗଲେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ଏବଂ ଆବଶ୍ୟକ ହେଲେ ବରଗଡ଼ ବନ୍ଦ ଡାକରା ସହିତ ଦୁର୍ବାର ଆନ୍ଦୋଳନ ପାଇଁ ଏବେଠାରୁ ବିଭିନ୍ନ ସଂଗଠନର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ସୂଚନା ମିଳିଛି। ବୈଠକରେ କଂଗ୍ରେସ, ବିଜେଡ଼ି, ଭାଜପା ସମେତ ୨୩ଟି ସଂଗଠନର ପ୍ରତିନିଧିବୃନ୍ଦ ଯୋଗଦାନ କରିଥିଲେ।