ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍‌ଓ

ବରଗଡ଼ ଅଫିସ୍‌,୨୫।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଭଳି ଅଭିଯୋଗ ନେଇ ଗତ ମାସରେ ଯୋଗଦାନ କରିଥିବା ନୂତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଚାରୁବାଳା ରଥ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ବାନାର୍ଜୀ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିବାରୁ ତାଙ୍କ (ଜିଲାପାଳ) ବଦଳି ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସ୍ବାସ୍ଥ୍ୟ ସଚିବଙ୍କୁ ଦେଇଥିବା ଅଭିଯୋଗପତ୍ରରେ ସିଡିଏମ୍‌ଓ ରଥ ଉଲ୍ଲେଖ କରିଛନ୍ତି, ଗତ ୨୧ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ (ସିଡିଏମ୍‌ଓ) ଭୀମ ଭୋଇ ସ୍ବାସ୍ଥ୍ୟ ଶିବିର ପରିଦର୍ଶନରେ ଯାଉଥିଲେ। ଏହି ସମୟରେ ଜିଲାପାଳ ବାନାର୍ଜୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ତାଙ୍କୁ ଫୋନ କରିଥିଲେ ଏବଂ ଜିଲାପାଳ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ତାଙ୍କୁ ଟେକ୍ନୋମ୍ୟାନେଜେରିଆଲ ଟେଣ୍ଡର ବିଷୟରେ ପଚାରିଥିଲେ। ନୂଆ କରି ଯୋଗ ଦେଇଥିବାରୁ ପ୍ରୋସେସ୍‌ ଚାଲିଛି ଏବଂ ଡିପିଏମ୍‌ଙ୍କୁ ପଚାରି କହୁଛି ବୋଲି ସିଡିଏମ୍‌ଓ ଜିଲାପାଳଙ୍କୁ କହିଥିଲେ। ଏହାପରେ ଜିଲାପାଳ ବାନାର୍ଜୀ ବଡ଼ପାଟିରେ ସବୁବେଳେ ମୁ ତାହା ଶୁଣୁଛି, ଆପଣ କିଛି ଜାଣୁନାହାନ୍ତି, ଚେୟାର ଛାଡ଼ି ଦିଅନ୍ତୁ ବୋଲି କହିଥିବା ସିଡିଏମ୍‌ଓ ଅଭିଯୋଗ କରିଛନ୍ତି। ସିଡ଼ିଏମ୍‌ଓ ପ୍ରତ୍ୟୁତ୍ତରରେ ସେ ସ୍ବେଚ୍ଛାରେ ଆସିନାହାନ୍ତି, ସରକାରଙ୍କ ଆଦେଶରେ ଏଠାରେ ଯୋଗଦାନ କରିଛନ୍ତି ବୋଲି କହିଥିଲେ। ଏହାପରେ ଜିଲାପାଳ ଆପଣ କିଛି ଜାଣି ନାହାନ୍ତି, ଲେଖି ଦିଅନ୍ତୁ ବୋଲି ତାଙ୍କୁ କହିଥିବା ଡା. ରଥ କହିଛନ୍ତି।
ସିଡିଏମ୍‌ଓ ରଥ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଝାରବନ୍ଧରେ ଜଣଙ୍କ ମୃତ୍ୟୁ ହୋଇଥିଲା। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ) ଡା. ସରୋଜ ସେଠଙ୍କ ସହାୟତାରେ ସେହି ଘଟଣାକୁ ଠିକ୍‌ ଭାବେ ପରିଚାଳନା କରାଯାଇଥିଲା। ସେଥିପାଇଁ କିଛି ପ୍ରଶଂସା ମିଳି ନ ଥିଲା। ବରଂ ଏହାର ୨ଦିନ ପରେ ଜିଲାପାଳଙ୍କ ସେଭଳି ବ୍ୟବହାର ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଜିଲାପାଳ ବାନାର୍ଜୀ ପୂର୍ବତନ ସିଡିଏମ୍‌ଓଙ୍କୁ ଏକ ଘରେ ବନ୍ଦ କରି ତାଲା ପକାଇ ଦେଇଥିବା ସେ ଶୁଣିଛନ୍ତି। ଏପରିକି କିଛି ବୁଝାସୁଝା ନ କରି ଜିଲାପାଳ କଥା କଥାରେ ଗାଳି କରୁଛନ୍ତି। ଜିଲାପାଳଙ୍କ ସେଭଳି ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିବା ଡା. ରଥ କହିଛନ୍ତି। ଏଭଳି ସ୍ଥଳେ ଜିଲାପାଳ ବାନାର୍ଜୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସେ ସ୍ବାସ୍ଥ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ଜିଲାପାଳ ବାନାର୍ଜୀଙ୍କୁ ପଚାରିବାରୁ ସେ କହିଥିଲେ, ସିଡିଏମ୍‌ଓ ଜିଲା ପ୍ରଶାସନ ତଥା ପ୍ରଶାସନିକ ପରିବାରର ଜଣେ। ବର୍ତ୍ତମାନର ସିଡ଼ିଏମ୍‌ଓ ଜଣେ ବରିଷ୍ଠ ଅଧିକାରୀ। ପରିବାରର ଜଣେ ସଦସ୍ୟ ଭାବେ ମୁ କେବେ ମଧ୍ୟ ତାଙ୍କ ବିରୋଧରେ କହିବି ନାହିଁ। ଯାହା ହୋଇଛି, ତାହା ଆମମାନଙ୍କ ମଧ୍ୟରେ ସମାଧାନ ହୋଇଯିବ ବୋଲି ବାନାର୍ଜୀ କହିଥିଲେ।