ଅମାନିଆଙ୍କୁ ଧରିବ ସିସି କ୍ୟାମେରା

ଭୁବନେଶ୍ୱର, ୧୧।୪(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍‌ ତଣ୍ଟି ଚିପିଲାଣି। ତଥାପି ଚେତୁନାହାନ୍ତି ରାଜଧାନୀର ଅମାନିଆ। କମିଶନରେଟ ପୋଲିସର ଘନ ଘନ ଚଢ଼ାଉ, ମୋଟା ଅଙ୍କର ଜରିମାନା ସହ ସିଲ୍‌ ଅଭିଯାନ ଜାରି ରହିଥିଲେ ମଧ୍ୟ ଖାତିର କରୁନାହାନ୍ତି ସେମାନେ। ଏପଟେ ମାସ୍କ ନ ଥିଲେ ଜରିମାନା ରାଶିକୁ ରାଜ୍ୟ ସରକାର ଦୁଇଗୁଣା କରିଛନ୍ତି। ତଥାପି ବହୁ ଲୋକ ସାମାଜିକ ଦୂରତ୍ୱ ରଖୁନାହାନ୍ତି କି ମୁହଁରେ ଠିକ୍‌ ଭାବେ ମାସ୍କ ପିନ୍ଧୁ ନାହାନ୍ତି। ଯେଉଁଥିପାଇଁ ସହରରେ ହୁହୁ ହୋଇ ମାଡ଼ି ଚାଲିଛି ସଂକ୍ରମଣ। ସେପଟେ ଭୁବନେଶ୍ୱରର ବସ୍ତି, କଲୋନୀଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ସବୁଠି ଯାଞ୍ଚ କରିବା ସମ୍ଭବ ହେଉ ନ ଥିବାରୁ ବିକଳ୍ପ ପନ୍ଥା ଆପଣାଇଛି କମିଶନରେଟ ପୋଲିସ। କୋଭିଡ ଉଲ୍ଲଂଘନକାରୀଙ୍କୁ ସିସି କ୍ୟାମେରା ଜରିଆରେ ଧରିବା ପାଇଁ ନିଷ୍ପତ୍ତି ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ସିସି କ୍ୟାମେରା ସହାୟତାରେ କୋଭିଡ୍‌ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି ବୋଲି ଭୁବନେଶର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସି କ୍ୟାମେରାରେ ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିବ ସେଠାକୁ ତୁରନ୍ତ ପିସିଆର ଭ୍ୟାନ୍‌ ଅବା ଯାଞ୍ଚ ପାଇଁ ମୁତୟନ ଥିବା ଫୋର୍ସଙ୍କୁ ପଠାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଥିବା ସପିଂମଲ୍‌ , ମାର୍କେଟ କମ୍ପ୍ଲେକ୍ସ, ପରିବା ହାଟ ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ କରାଯାଉଥିବାବେଳେ ଖୋଦ୍‌ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ବୁଝାଉଛନ୍ତି। ଏପରିସ୍ଥଳେ ସିସିଟିଭି ଫୁଟେଜ୍‌ ପରୋକ୍ଷରେ କୋଭିଡ୍‌ ସଂକ୍ରମଣକୁ ରୋକିପାରିବ ବୋଲି ଆଶା କରାଯାଉଛି।