ଏପ୍ରିଲ ୨୬ରୁ ସିବିଏସ୍‌ଇ ଦଶମ,ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୧୧।୩(ବ୍ୟୁରୋ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଦଶମ ବୋର୍ଡ ପରୀକ୍ଷା ମେ’ ୨୪ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁନ୍‌ ୧୫ରେ ଶେଷ ହେବ। ଏସବୁ ପରୀକ୍ଷା ସବ୍‌ଜେକ୍ଟିଭ ମୋଡ୍‌ରେ ହେବ ବୋଲି ବୋର୍ଡ ପକ୍ଷରୁ ଶୁକ୍ରବାର ପରୀକ୍ଷା ସୂଚୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିବ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ଏସବୁ ପରୀକ୍ଷା ଅଫ୍‌ଲାଇନ ମୋଡ୍‌ରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେବ। ପରୀକ୍ଷା ଆରମ୍ଭ ପୂର୍ବରୁ ପିଲାଙ୍କୁ ପ୍ରଶ୍ନ ପଢ଼ିବା ପାଇଁ ୧୫ ମିନିଟ୍‌ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସବୁ ପରୀକ୍ଷା ସମ୍ପୂର୍ଣ୍ଣ କରୋନା କଟକଣାରେ କରାଯିବାକୁ ନିର୍ଦ୍ଦେଶ ରହିଛି। ଛାତ୍ରୀଛାତ୍ର ମାସ୍କ ପିନ୍ଧି ଆସିବା ସହ ନିଜେ ସାନିଟାଇଜର ଆଣିବେ। ପରୀକ୍ଷା ହଲ୍‌ରେ ସାମାଜିକ ଦୂରତ୍ୱ ପାଳନ କରାଯିବ। ସେହିପରି ପିଲା ଅସୁସ୍ଥତା କିମ୍ବା କୌଣସି କୋଭିଡ୍‌ ଲକ୍ଷଣ ନ ଥିବା ସଂକ୍ରାନ୍ତରେ ଅଭିଭାବକ ନିଶ୍ଚିତ କରିବେ। ଅଭିଭାବକ ପିଲାମାନଙ୍କୁ କୋଭିଡ୍‌ କଟକଣା ସମ୍ପର୍କରେ ସଚେତନ କରିବେ। ପରୀକ୍ଷା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ବୋର୍ଡର ଓ୍ବେବ୍‌ସାଇଟ୍‌ www.cbse.gov.inକୁ ଦେଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି।