ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ମାମଲା: ଖାରଜ ପାଇଁ ରାଜ୍ୟ ସରକାରଙ୍କ ଆବେଦନ

କଟକ,୬ା୩(କାର୍ତ୍ତିକ ସାହୁ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ରାଜ୍ୟ ସରକାର ଜବାବ ଦାଖଲ କରି ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କୁ ନିମ୍ନ ଅଦାଲତରେ ଦଣ୍ଡବିଧାନ ହୋଇସାରିଛି ବୋଲି ଦର୍ଶାଇଛନ୍ତି। ୨୦୧୩ରେ ଫୁଲବାଣୀ କୋର୍ଟ ଉକ୍ତ ଘଟଣାରେ ଦୁଇଟି ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଫୁଲବାଣୀ ଅତିରିକ୍ତ ସେସନ୍‌ କୋର୍ଟଙ୍କ ଉକ୍ତ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ୪ଟି ଅପିଲ୍‌ ମଧ୍ୟ ବିଚାରାଧୀନ ରହିଛି। ଏପରି କ୍ଷେତ୍ରରେ ଘଟଣାର ସିବିଆଇ ତଦନ୍ତ ଅପ୍ରାସଙ୍ଗିକ। ଏଣୁ ଆବେଦନକାରୀଙ୍କ ମାମଲାକୁ ଖାରଜ କରାଯାଉ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ପ୍ରତି ଜବାବ ମଧ୍ୟ ଦାଖଲ କରାଯାଇଛି। ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ବିଶ୍ୱହିନ୍ଦୁ ପରିଷଦର ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କର ୪ ସହଯୋଗୀଙ୍କୁ ଜଳେଶପଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଦଙ୍ଗାର ଦୁଇଦିନ ପରେ ଅର୍ଥାତ୍‌ ୨୫ ତାରିଖରେ ବାଲିଗୁଡ଼ା ଥାନାର କେ. ନୂଆଗାଁ ଅଞ୍ଚଳରେ ୨୯ ବର୍ଷୀୟ କ୍ୟାଥୋଲିକ୍‌ ନନ୍‌ଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ କ୍ରାଇମବ୍ରାଞ୍ଚ ଦାଖଲ କରିଥିଲା। ସମ୍ପୃକ୍ତ ନନ୍‌ ଚୌଦ୍ୱାର ଜେଲ୍‌ରେ ଟିଆଇ ପରେଡ୍‌ରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ତେବେ ମାମଲାର ସାକ୍ଷୀ ଓ ନନ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇ ୨୦୧୦ରେ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ମାମଲାଟି କଟକ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ଏଥିରେ ୨୯ ଜଣଙ୍କର ସାକ୍ଷ୍ୟଗ୍ରହଣ ହୋଇଥିଲା। ତେବେ ଆବେଦନକାରୀ ଇଂ ଦେବାଶିଷ ହୋତା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତଭାର ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ପ୍ରକୃତ ହତ୍ୟାକାରୀମାନେ ଏବେ ବି ବାହାରେ ବୁଲୁଛନ୍ତି। ଘଟଣାର ସଠିକ୍‌ ଭାବେ ତଦନ୍ତ କରାଯାଇନାହିଁ। ପୁଣି କନ୍ଧମାଳ ଦଙ୍ଗା ଘଟଣାର ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇନାହିଁି। ଏପରିସ୍ଥଳେ ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।