Categories: ଜାତୀୟ

ସାର୍ବଜନୀକ ହେବ ନାହିଁ ଜାତିଗତ ଜନଗଣନା ତଥ୍ୟ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ ୨୦୧୧ ଜନଗଣନାରେ ପ୍ରକାଶିତ ସାମାଜିକ-ଆର୍ଥିକ ପଛୁଆବର୍ଗର ପରିସଂଖ୍ୟାନ ତଥ୍ୟ ସାର୍ବଜନୀକ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ କରିଛନ୍ତି। ଓବିସିଙ୍କ ସଂଖ୍ୟା ଜାଣିବା ପାଇଁ ୨୦୧୧ରେ ଜାତି ଜନଗଣନା କରାଯାଇ ନାହିଁ ବୋଲି କେନ୍ଦ୍ର କହିଛି। ପରିବାରର ଆର୍ଥିକ ପଛୁଆ ସ୍ଥିତି ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା। କିନ୍ତୁ ସେହି ପରିସଂଖ୍ୟାନ ତ୍ରୁଟିପୂର୍ଣ୍ଣ। ଏହା ବ୍ୟବହାର କରିବା ଉପଯୋଗୀ ନୁହେଁ।

ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ସ୍ଥାନୀୟ ନିର୍ବାଚନ ସମୟରେ ଓବିସି ସଂରକ୍ଷଣ ପ୍ରଦାନ ପାଇଁ ଏହି ତଥ୍ୟକୁ ସାର୍ବଜନୀକ କରିବାକୁ ରାଜ୍ୟ ସରକାର ଦାବି କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ,୨୦୨୨ରେ ମଧ୍ୟ ଜାତି ଭିତ୍ତିକ ଜନଗଣନା କରାଯିବ ନାହିଁ। ଅଦାଲତରେ ଦାଖଲ ହୋଇଥିବା ଏକ ଲିଖିତ ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ କହିଥିଲେ ଯେ ପଛୁଆ ଜାତିର ଜନଗଣନା କରିବା ବ୍ୟବହାରିକ ହେବ ନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୧୧ରେ କରାଯାଇଥିବା ସାମାଜିକ ଅର୍ଥନୈତିକ ଏବଂ ଜାତି ଭିତିକ ଜନଗଣନା (ଏସ୍‌ଇସିସି )ରୁ ଓବିସିଙ୍କ ହିସାବ ଆକଳନ କରାଯାଇ ପାରିବ ନାହିଁ। ମନ୍ତ୍ରଣାଳୟ କହିଛି ଯେ ୨୦୧୧ର ଏସ୍‌ଇସିସିର ଉଦ୍ଦେଶ୍ୟ ହେଉଛି ପରିବାରଗୁଡ଼ିକର ପଛୁଆପଣ ମୂଲ୍ୟାଙ୍କନ କରିବା। ଏହି ଆଧାରରେ, ଯେତେବେଳେ ଜାତିର ଜନସଂଖ୍ୟା ଆକଳନ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ଲୋକମାନେ ଲକ୍ଷ ଲକ୍ଷ ଜାତି ପଞ୍ଜିକୃତ କରିଛନ୍ତି।

ଯେତେବେଳେ କି, କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଓବିସି ତାଲିକାରେ କେବଳ ଅଳ୍ପ ହଜାର ଜାତି ଅଛନ୍ତି। ଲୋକମାନେ ସେମାନଙ୍କର ଗୋତ୍ର, ଉପ-ଜାତି ଇତ୍ୟାଦି ମଧ୍ୟ ପଞ୍ଜୀକୃତ କରିଥିବା ଜଣାପଡ଼ିଥିଲା। ଏଥିରୁ ଜାତି ସଂଖ୍ୟା ଆକଳନ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ପଞ୍ଚାୟତ ନିର୍ବାଚନରେ ଓବିସିମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି, ତେବେ ପଛୁଆବର୍ଗର ସ୍ଥାନୀୟ ତଥ୍ୟ ସଂଗ୍ରହ କରିବାକୁ ପଡିବ। ଏଥିପାଇଁ ରାଜ୍ୟ ସରକାର ତାଙ୍କ ତରଫରୁ ଏକ କମିଶନ ଗଠନ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ଯଦି ସରକାର ଚାହାଁନ୍ତି, ତେବେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କମିଶନଙ୍କୁ କହିପାରିବେ।

Share