କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି।

ପ୍ରାପ୍ତ ଖବର ଅନୁଯାୟୀ, କାର୍ଯ୍ୟରତ ଅବସ୍ଥାରେ ଅଚାନକ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଦୀର୍ଘ ବର୍ଷ ଧରି ଜିଲାରେ ନିଜର ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦନ କରିଆସୁଥିଲେ।

ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଜିଲା ଶିକ୍ଷା ବିଭାଗରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସମେତ ସମସ୍ତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, ଲଳିତ ମୋହନ, ସାଧୁସରନ ପ୍ରସାଦ, ପ୍ରଭାକର ପ୍ରଧାନ, ଶ୍ରଦ୍ଧାଞ୍ଜଳି ଦାଶ, ଲିପିକା ଅପରାଜିତା ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share