ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା ଏହା ଆସୁଛି ଯେ ଲୋକଙ୍କୁ ପୂର୍ୱଭଳି କ୍ୟାଶ ମିଳିପାରୁନାହିଁ। ଦେଶର ଏଟିଏମ ଗୁଡ଼ିକ ଏବେ ନଗଦ ସଙ୍କଟ ଦେଇ ଗତି କରୁଛନ୍ତି। ‘କନଫେଡେରେସନ ଅଫ ଏଟିଏମ ଇଣ୍ଡଷ୍ଟ୍ରି’ (CATMi) ଏହି ସୂଚନା ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (IBA) କୁ ଦେଇଛି। ‘ବିଜନେସ ଷ୍ଟାଣ୍ଡାର୍ଡ’ର ରିପୋର୍ଟରେ ହୋଇଥିବା ଖୁଲାସା ଅନୁଯାୟୀ, ଆଗାମୀ ସମୟରେ ଦେଶ ମଧ୍ୟରେ ଏଟିଏମ ସେବା ବିପର୍ଯ୍ୟସ୍ତ ହୋଇପାରେ।

ଏହି ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଦେଶସାରା ଏଟିଏମ ଗୁଡ଼ିକରେ କ୍ୟାଶର ଅଭାବ ଦେଖିବାକୁ ମିଳିଥିଲା। ବୋଧହୁଏ ଏହି କାରଣରୁ ଏଟିଏମ ଟ୍ରାଞ୍ଜାକ୍ସନ (କାରବାର) ମଧ୍ୟ ହ୍ରାସ ପାଇଛି। ଏଟିଏମ ଅପରେଟର୍ସଙ୍କ ସଂସ୍ଥା CATMi ର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ବ୍ୟାଙ୍କ ଏବଂ କରେନ୍ସି ଚେଷ୍ଟ ଗୁଡ଼ିକରୁ ଏଟିଏମରେ ଭରିବା ପାଇଁ ପର୍ଯ୍ୟାପ୍ତ କ୍ୟାଶ ମିଳିପାରି ନାହିଁ।

ମାର୍ଚ୍ଚ ମାସରେ ଏଟିଏମ ପାଇଁ ୯୪,୦୦୦ କୋଟି ଟଙ୍କାର କ୍ୟାଶ ଆବଶ୍ୟକ ଥିଲା, କିନ୍ତୁ ମିଳିଲା ମାତ୍ର ୬୧,୦୦୦ କୋଟି ଅର୍ଥାତ ୬୪%। ସେହିପରି ଏପ୍ରିଲ ମାସରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମାତ୍ର ୫୪,୦୦ କୋଟି ଟଙ୍କା ଉପଲବ୍ଧ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦେଶସାରା ଏଟିଏମ ଗୁଡ଼ିକ ନଗଦ ଟଙ୍କା ଅଭାବର ସାମ୍ନା କରୁଛନ୍ତି।

କୁହାଯାଉଛି ଯେ କ୍ୟାଶ ଅଭାବ ହେତୁ ଦେଶର ଅନେକ ରାଜ୍ୟରେ ଏଟିଏମ ସେବା ପ୍ରଭାବିତ ହୋଇପାରେ। CATMi ଏହାକୁ ନେଇ IBA (ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ) କୁ ଚିଠି ଲେଖି କହିଛି ଯେ ଅନେକ ରାଜ୍ୟରେ ଏଟିଏମରେ ପୁଣିଥରେ ଟଙ୍କା ଭରିବା ପାଇଁ ପର୍ଯ୍ୟାପ୍ତ କ୍ୟାଶ ମିଳୁନାହିଁ। ଏହାର ପ୍ରଭାବ ବିଶେଷ କରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳର ଲୋକଙ୍କ ଉପରେ ପଡ଼ିପାରେ, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ କ୍ୟାଶ ଟ୍ରାଞ୍ଜାକ୍ସନ ଉପରେ ନିର୍ଭର କରନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କୁ ମଧ୍ୟ ଏହି ବିଷୟରେ ଅବଗତ କରାଯାଇଛି।

ଏଟିଏମ ଅପରେଟରମାନଙ୍କ କହିବା କଥା ହେଲା, ବର୍ତ୍ତମାନର ‘ଇଣ୍ଟରଚେଞ୍ଜ ଫି’ (Interchange Fee) ସେମାନଙ୍କ ଖର୍ଚ୍ଚ ଭରଣା କରିବା ପାଇଁ ଯଥେଷ୍ଟ ନୁହେଁ। ଇଣ୍ଟରଚେଞ୍ଜ ଫି ହେଉଛି ସେହି ରକମ, ଯାହା ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କର ଏଟିଏମ ବ୍ୟବହାର କରିବା ପାଇଁ ଦେଇଥାଏ। ବର୍ତ୍ତମାନ ଏହା ୧୯ ଟଙ୍କା ରହିଛି। ଏଟିଏମରେ କ୍ୟାଶ ଲୋଡ କରିବାର ଖର୍ଚ୍ଚ ବଢ଼ିଛି, ଇନ୍ଧନ (ତେଲ) ଦର ବଢ଼ୁଛି, ସୁରକ୍ଷା ଗାର୍ଡଙ୍କ ଦରମା ବୃଦ୍ଧି କରାଯାଇଛି ଏବଂ କ୍ୟାଶ ଟ୍ରାନ୍ସପୋର୍ଟେସନ (ଟଙ୍କା ପରିବହନ) ଖର୍ଚ୍ଚ ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏଭଳି ପରିସ୍ଥିତିରେ ଏଟିଏମ ଚଲାଇବା ଆହୁରି ମହଙ୍ଗା ହୋଇଯାଇଛି।

ଅନ୍ୟପଟେ, ବ୍ୟାଙ୍କ ଯେବେଠାରୁ ଫ୍ରି ଲିମିଟ (ମାଗଣା ସୀମା) ପରେ ଗ୍ରାହକଙ୍କ ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ଚାର୍ଜ ବଢ଼ାଇ ୨୩ ଟଙ୍କା କରିଦେଇଛି, ସେବେଠାରୁ ଲୋକମାନେ ଡିଜିଟାଲ ପେମେଣ୍ଟ ମାଧ୍ୟମ ଅଧିକ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଏଟିଏମରୁ ହେଉଥିବା କାରବାର ସଂଖ୍ୟାରେ ପ୍ରାୟ ୧୦.୪୦% ହ୍ରାସ ଘଟିଛି। ଏହି ସଙ୍କଟକୁ ଏଡ଼ାଇବା ଏବଂ ଏଟିଏମ ସେବା ସମ୍ପୂର୍ଣ୍ଣ ବନ୍ଦ ହେବାରୁ ରକ୍ଷା କରିବା ପାଇଁ CATMi ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର କରେନ୍ସି ମ୍ୟାନେଜମେଣ୍ଟ ବିଭାଗକୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏବଂ କ୍ୟାଶ ଫ୍ଲୋ (ଟଙ୍କା ଯୋଗାଣ) ବଢ଼ାଇବାକୁ ଅନୁରୋଧ କରିଛି।

Share