କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ବାରକୋଟ ଥାନା ପୋଲିସ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ଚକ୍ରଧର ନାଏକ (୩୮)। ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ବାରକୋଟ ଥାନା ଅଞ୍ଚଳର ଜଣେ ୩୮ ବର୍ଷୀୟା ମହିଳାଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଚକ୍ରଧର ପର୍ଯ୍ୟାୟକ୍ରମେ ପ୍ରାୟ ୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏହାସହ ନିଶା ଔଷଧ ଦେଇ ପୀଡ଼ିତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିବା ସହ ଆପତ୍ତିଜନକ ଫଟୋ ଉଠାଇଥିବା ନେଇ ପୀଡ଼ିତା ବାରକୋଟ ଥାନାରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ଆଧାରରେ ବାରକୋଟ ପୋଲିସ ମାମଲା ରୁଜୁ କରି ଚକ୍ରଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସେ ଜାମିନରେ ମୁକ୍ତ ହେବା ପରେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଅଦାଲତରୁ ମାମଲା ପ୍ରତ୍ୟାହାର କରାଇବାକୁ ଚାପ ପକାଇଥିଲେ।

ଅଭିଯୋଗ ଅନୁଯାୟୀ, ଏହି ଘଟଣାରେ ପାଲଲହଡ଼ା ଅଞ୍ଚଳର ଜଣେ ଆଇନଜୀବୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସେ ମିଥ୍ୟା କାଗଜପତ୍ର ଦେଖାଇ ପୀଡ଼ିତା ଓ ଚକ୍ରଧରଙ୍କ କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇଥିଲେ। ଫଳରେ ପୀଡ଼ିତା ନିଜ ଅନିଚ୍ଛା ସତ୍ତ୍ୱେ ଆଇନଜୀବୀଙ୍କ ପରାମର୍ଶରେ ଅଦାଲତରେ ବୟାନ ଦେଇ ଟଙ୍କା ଠକେଇ ଓ ବଳାତ୍କାର ମାମଲା ପ୍ରତ୍ୟାହାର କରିଥିଲେ।

ମାମଲା ପ୍ରତ୍ୟାହାର ପରେ ଚକ୍ରଧର ବିବାହ କରିବାକୁ ସିଧାସଳଖ ମନା କରିବା ସହ ପୀଡ଼ିତାଙ୍କ ମୋବାଇଲ ନମ୍ବରକୁ ବ୍ଲକ୍ କରି ଫେରାର ହୋଇଯାଇଥିଲେ। ଏହାପରେ ପୀଡ଼ିତା ପୁଣିଥରେ ବାରକୋଟ ଥାନାରେ ପ୍ରତାରଣା ଅଭିଯୋଗ ଦାଖଲ କରିଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ୧୯ ଡିସେମ୍ବର ୨୦୨୫ ରେ ବାରକୋଟ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତ ଫେରାର ଥିବାବେଳେ ଶେଷରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟପକ୍ଷରେ, ଏହି ମାମଲାରେ ସମ୍ପୃକ୍ତ ଆଇନଜୀବୀ ପୂର୍ବରୁ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିବା ଜଣାପଡ଼ିଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share