ଗୋଟିଏ ଜୁଇରେ ଜଳିଲେ ମା’ପୁଅ

ବେଲପଡ଼ା,୧୮।୨(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କାନୁଟ ଗ୍ରାମର ନର୍ସରି ମଶାଣିରେ ରବିବାର ଗୋଟିଏ ଜୁଇରେ ମା’ ଓ ପୁଅଙ୍କ ମୃତଦେହ ଜଳିଛି। ପୁଅ ଦ୍ରୋଣଙ୍କୁ ବାପା ସୁରଥ ମହାଖୁଡ ଓ ମା’ ମାଳତୀଙ୍କୁ ବଡ଼ପୁଅ ଲଳିତ ମୁଖାଗ୍ନି ଦେଇଥିଲେ। ଥାନା ଆଇଆଇସି ସୁଶାନ୍ତ ଦାସ, ସ୍ଥାନୀୟ ସରପଞ୍ଚ ଅଶୋକ ମହାପାତ୍ର ଓ ଯୁବକ ସଂଘର ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ସତ୍କାର କାର୍ଯ୍ୟ ହୋଇଥିଲା।

ଗତ ୧୦ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ୬ଜଣ ଗୁରୁତର ହୋଇଥିଲେ। ତନ୍ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୫ ତାରିଖରେ ମାଳତୀ ମହାଖୁଡଙ୍କ ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମା’ଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ୧୭ ବର୍ଷର ପୁଅ ଦ୍ରୋଣ ଶୁକ୍ରବାର ରାତିରେ ମା’ଙ୍କ ଶାଢ଼ିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ମାଳତୀଙ୍କ ଚିକିତ୍ସା ପାଇଁ ସ୍ବାମୀ ସୁରଥ ଓ ବଡ଼ ପୁଅ ଲଳିତ ତାଙ୍କ ପାଖରେ ଥିଲେ। ଘରେ କେହି ନ ଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲା। ଦ୍ରୋଣଙ୍କ ମୃତଦେହକୁ ଗ୍ରାମବାସୀ ଓ ଯୁବକ ସଂଘର ସଦସ୍ୟାମାନେ ମା’ଙ୍କ ଶବ ଆସିବା ପର୍ଯ୍ୟନ୍ତ ଜଗି ରହିଥିଲେ। ଶନିବାର ବିଳମ୍ବିତ ରାତ୍ରିରେ ମା’ଙ୍କ ମୃତଦେହ ଗାଁରେ ପହଞ୍ଚି ଥିଲା। ରବିବାର ପରିବାରଜନ ଓ ଗ୍ରାମବାସୀ ୨ଟି ମୃତଦେହକୁ ମଶାଣିକୁ ନେଇଯାଇଥିଲେ। ପରେ ଗୋଟିଏ ଜୁଇରେ ମା’ ପୁଅଙ୍କ ସତ୍କାର କରାଯାଇଥିଲା।