କେନ୍ଦୁଝର,୧୮।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ବସନ୍ତପୁର ଗ୍ରାମରେ ଆଦିବାସୀଙ୍କ ପବିତ୍ର ଧାର୍ମିକ ପୀଠ ଜାହେରାରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ପ୍ରତିବାଦ ଏବଂ ଆଦିବାସୀଙ୍କ ସୁରକ୍ଷା ଓ ଅଧିକାର ଦାବିରେ ବୁଧବାର କେନ୍ଦୁଝର ଜିଲା ମୁଖ୍ୟାଳୟରେ ବିଶାଳ ଆଦିବାସୀ ରାଲି ଅନୁଷ୍ଠିତ ହୋଇଯାଇଛି। ମାଝୀ ପରଗଣା କମିଟି, କେନ୍ଦୁଝର ଓ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଏହି ବିଶାଳ ରାଲି, ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆନ୍ଦୋଳନକୁ ବିଜେଡ଼ି ପକ୍ଷରୁ ସମର୍ଥନ କରାଯାଇଥିଲା।
ପାରମ୍ପରିକ ବେଶ ସହ ଅସ୍ତ୍ରଶସ୍ତ୍ର ସହ ପ୍ଲା କାର୍ଡ ଧରି ସାନ୍ତାଳି ସମ୍ପ୍ରଦାୟର ମହିଳା ଏବଂ ପୁରୁଷମାନେ ଆନ୍ଦୋଳନରେ ସାମିଲ ହୋଇ ସହର ପରିକ୍ରମା କରି ପ୍ରତିବାଦ କରିଥିଲେ। ଫଳରେ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।
ପ୍ରକାଶ ଯେ, ଅକ୍ଟୋବର ୨୩ ତାରିଖରେ ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଜାହେରା ପୀଠରେ ସାନ୍ତାଳ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରୁଥିବା ସମୟରେ କିଛି ଲୋକେ ସେଠାରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଏପରିକି ଉପସ୍ଥିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ କିଛି ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ ପରେ ମଧ୍ୟ ପୋଲିସ ପ୍ରଥମେ କୌଣସି ପଦକ୍ଷେପ ନେଇ ନ ଥିଲେ। ଏହାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ବସନ୍ତପୁର ଗ୍ରାମକୁ ଯାଇ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ମାଝୀ ପରଗଣା କମିଟି, କେନ୍ଦୁଝର ଓ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପୋଲିସ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୋଲିସ ତଦନ୍ତ ପରେ ବଜରଙ୍ଗ ଦଳର ୫ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଅଭିଯୋଗ ହୋଇଛି।
ଏପରିକି କେନ୍ଦୁଝର ପରେ ସୁନ୍ଦରଗଡ଼ ଜିଲାରେ ମଧ୍ୟ ଆଦିବାସୀ ଯୁବକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଉଠାଇ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ଆଦିବାସୀମାନେ ଅସୁରକ୍ଷିତ ଓ ଅବହେଳିତ ହେବା ଦୁର୍ଭାଗ୍ୟଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି।
ସ୍ଥାନିୟ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ନିକଟରୁ ଆରମ୍ଭ ହୋଇଥିବା ବିଶାଳ ଶୋଭାଯାତ୍ରାରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ସମେତ ବିଭିନ୍ନ ଜିଲା ଓ ପଡୋଶି ଝାରଖଣ୍ଡ ରାଜ୍ୟରୁ ହଜାରହଜାର ଲୋକ ସାମିଲ ହୋଇଥିଲେ। ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପ୍ରତିବାଦ ସଭା ହୋଇଥିଲା। ଆଦିବାସୀ ଏକତା ଜିନ୍ଦାବାଦ ସ୍ଲୋଗାନ ସହିତ ବଜରଙ୍ଗ ଦଳ ବିରୋଧରେ ଆନ୍ଦୋଳକାରୀ ସ୍ଲୋଗାନ ଦେଇଥିଲେ।
ଆନ୍ଦୋଳନରେ ମାଝୀ ପରଗଣା କମିଟି, କେନ୍ଦୁଝର ଓ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚର କର୍ମକର୍ତ୍ତାଙ୍କ ନେତା ଯୋଗ ଦେଇଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲ ସଭାପତି ସୁଦାମ ମାରାଣ୍ଡି, ଉପସଭାପତି ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ଗଣମାଧ୍ୟମ ସଂଯୋଜକ ତଥା ସାଧାରଣ ସମ୍ପାଦକ ଡ. ପ୍ରିୟବ୍ରତ ମାଝୀ, ଡ. ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ, ଭାରତୀ ହାଁସଦା, ବାସନ୍ତୀ ହେମ୍ବ୍ରମ, ଜଗନ୍ନାଥ ନାଏକ, ମାଧବ ସର୍ଦ୍ଦାର, ଭାନୁପ୍ରତାପ ସିଂ ମାଝୀ, ଗଙ୍ଗାଧର ହେମ୍ବ୍ରମ, ମୀନା ମାଝୀ, ଆଶିଷ ଚକ୍ରବର୍ତ୍ତୀ, ଧନଞ୍ଜୟ ସିଦ୍ଧୁ, ଚକ୍ରଧର ହେମ୍ବ୍ରମ ଓ ଦମୟନ୍ତୀ ମାଝୀଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ।
ଅନ୍ଦୋଲନକୁ ସମର୍ଥନ କରି କଂଗ୍ରେସ ଦଳର ରାଜ୍ୟ ଆଦିବାସୀ ବିଭାଗର ଅଧ୍ୟକ୍ଷ ଯଶୋବନ୍ତ ସିଂହ ଲାଗୁରୀ, ଆଦିବାସୀ ନେତା ଇଂ ବିନୋଦ ନାୟକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ନେଇ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି।