ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ତାଙ୍କର ଏହି ସଫଳତା ପାଇଁ ସମଗ୍ର ଜିଲାରୁ ପ୍ରଶଂସାର ସୁଅ ଛୁଟୁଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି।

ସୂଚନା ଅନୁଯାୟୀ, କେସିଙ୍ଗା ବ୍ଲକ ମଶାଣୀମୁଣ୍ଡା ଗ୍ରାମର କାଠ ମିସ୍ତ୍ରୀ ବଂଶୀଧର ପ୍ରଧାନଙ୍କ ପତ୍ନୀ ସଙ୍ଗୀତା ସେଠୀ ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୧୩ ନମ୍ବର ର଼୍ୟାଙ୍କ ହାସଲ କରିଛନ୍ତି। ସଙ୍ଗୀତା ଜଣେ ଗୃହିଣୀ ହୋଇ ମଧ୍ୟ ଦିନକୁ ପ୍ରାୟ ୧୦ ରୁ ୧୨ ଘଣ୍ଟା ଅଧ୍ୟୟନ କରୁଥିଲେ। ସେ ବିବାହ ପରେ ସ୍ନାତକ ଓ ଭବାନୀପାଟଣା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଜି ସମ୍ପୂର୍ଣ୍ଣ କରିଥିଲେ। ଦୁଇଟି ପିଲା ଓ ପରିବାରର ଦାୟିତ୍ୱ ତୁଲାଇବା ସହ ସେ ଓଏଏସ୍‌ ପାଇଁ ନିଜକୁ ପ୍ରସ୍ତୁତ କରି ସଫଳ ହୋଇଛନ୍ତି।

ଏହି ସଫଳତାରେ ସଙ୍ଗୀତାଙ୍କ ସ୍ବାମୀ ବଂଶୀଧରଙ୍କର ମଧ୍ୟ ବଡ଼ ଅବଦାନ ରହିଛି। ପେଶାରେ ଜଣେ କାଠ ମିସ୍ତ୍ରୀ ହୋଇ ମଧ୍ୟ ସେ ସ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସବୁ କ୍ଷେତ୍ରରେ ସହଯୋଗ ଓ ପ୍ରୋତ୍ସାହନ ଦେଇଥିଲେ। ସଙ୍ଗୀତା କହିଛନ୍ତି ଯେ ତାଙ୍କ ସ୍ବାମୀ କେବେ ବାଧକ ହୋଇନାହାନ୍ତି ବରଂ ତାଙ୍କୁ ସବୁବେଳେ ଉତ୍ସାହିତ କରି ଆସିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ସ୍ବାମୀ, ବାପା, ମା’ ଓ ମେଣ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଙ୍ଗୀତାଙ୍କ ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି ଯେ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି ପରିସ୍ଥିତି ବାଧକ ହୋଇପାରେ ନାହିଁ।

ନିଜ ପ୍ରତିକ୍ରିୟାରେ ସଙ୍ଗୀତା କହିଛନ୍ତି, “ମୁଁ ପଶ୍ଚିମ ଓଡ଼ିଶାର ଝିଅ, ଗରିବଙ୍କ ଦୁଃଖ ଜାଣିଛି। ମୁଁ ଲୋକଙ୍କ ସେବା କରିବି।” ଯୁବ ସମାଜକୁ ସନ୍ଦେଶ ଦେଇ ସେ କହିଛନ୍ତି ଯେ ଯେକୌଣସି କାର୍ଯ୍ୟ କରିବାକୁ ଆଗେଇ ଚାଲନ୍ତୁ, ଦିନେ ନା ଦିନେ ନିଶ୍ଚୟ ସଫଳ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share