ବଡ଼ ବିପଦରୁ ବର୍ତ୍ତିଲା ପଣ୍ୟବାହୀ ଜାହାଜ: ପାରାଦୀପ ବନ୍ଦର ପକ୍ଷରୁ ତତ୍କାଳ ପଦକ୍ଷେପ

ପାରାଦୀପ,୧୭।୧୧(ଶରତ ରାଉତ): ଅଶାନ୍ତ ସମୁଦ୍ରରେ ଭୟଙ୍କର ବିପଦର ସମ୍ମୁଖୀନ ହୋଇଥିବା ଏକ ବୃହତ୍‌ ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ଉଦ୍ଧାର କରିଛି ପାରାଦୀପ ବନ୍ଦର। ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଜାହାଜ ସହ ଏଥିରେ ଥିବା ସମସ୍ତ ୨୭ ଜଣ ଭାରତୀୟ ନାବିକ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି। ଏହି ଘଟଣା ପୁଣି ଥରେ ସମୁଦ୍ରରେ ଜାହାଜ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ଉଦ୍ଧାର ହୋଇଥିବା ଜାହାଜଟି ହେଉଛି ଭାରତୀୟ ଶିପିଂ କର୍ପୋରେସନ ଅଫ ଇଣ୍ଡିଆର ୨୩୦ ମିଟର ଲମ୍ବ ବିଶିଷ୍ଟ ପାନାମାକ୍ସ ଶ୍ରେଣୀର ପଣ୍ୟବାହୀ ଜାହାଜ ‘ଏମ୍ଭି ବିଶ୍ୱ ଉଦୟ’। ଏହି ଖାଲି ଜାହାଜଟି ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ ବନ୍ଦର ଅଭିମୁଖେ ଯାଉଥିଲା।

ସୋମବାର ସକାଳେ ଜାହାଜର ପ୍ରୋପେଲର୍‌ ଶାଫ୍ଟ ଭାଙ୍ଗିଯିବାରୁ ଇଞ୍ଜିନ ଅଚଳ ହୋଇପଡ଼ିଥିଲା। ଏହାସହ ଜାହାଜ ଭିତରକୁ ପାଣି ପଶିବା ଆରମ୍ଭ କରିଥିଲା। ନାବିକମାନେ ପାଣି ନିଷ୍କାସନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଇଞ୍ଜିନ ଅଚଳ ଥିବାରୁ ସଫଳ ହୋଇପାରି ନଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ଜାହାଜର କ୍ୟାପଟେନ ଭାରତୀୟ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଶିପିଂ କର୍ପୋରେସନ ପକ୍ଷରୁ ପାରାଦୀପ ବନ୍ଦରର ସହାୟତା ଲୋଡ଼ାଯାଇଥିଲା।

ପାରାଦୀପ ବନ୍ଦରର ଉପସଂରକ୍ଷକ (ଡିସି) ଅଲେଖ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ବନ୍ଦରର ଦୁଇଟି ଟଗ ବୋଟ ‘ଡଲଫିନ-୨୦’ ଓ ‘ଡଲଫିନ-୨୫’କୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା। ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ ମାଇଲ ବା ୯୦ କିଲୋମିଟର ଦୂରରେ ଭାସୁଥିବା ଜାହାଜକୁ ରଶି ସହାୟତାରେ ଟାଣି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ସମୁଦ୍ରରେ ବାତ୍ୟା ଆଶଙ୍କା ଥିବାରୁ ପାଣିପାଗ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ରହିଥିଲା। ତଥାପି ବନ୍ଦରର ଉଦ୍ଧାରକାରୀ ଦଳ ସାହସିକତାର ସହ ଅଭିଯାନ ଜାରି ରଖି ଜାହାଜଟିକୁ ନିରାପଦରେ ପାରାଦୀପ ବନ୍ଦର ଆଙ୍କରେଜ ଅଞ୍ଚଳକୁ ଆଣିଥିଲେ। ମଙ୍ଗଳବାର ସକାଳେ ଜାହାଜଟିକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି। ଏଥିରେ ଥିବା ସମସ୍ତ ୨୭ ନାବିକ ସୁରକ୍ଷିତ ଥିବା ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

ଏହି ଉଦ୍ଧାର ଅଭିଯାନର ନେତୃତ୍ୱ ନେଇଥିଲେ ହାର୍ବର ମାଷ୍ଟର ଇନ୍ଦ୍ରନିଲ ମୁଖାର୍ଜୀ। ଅଭିଯାନ ସମୟରେ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲା। ଏହି ସଫଳ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ଭାରତୀୟ ଜଳସୀମାରେ ଏଭଳି ତିନୋଟି ଜାହାଜ ଦୁର୍ଘଟଣା ଘଟିଛି। ଗତ ସେପ୍ଟେମ୍ବର ୨୩ ତାରିଖରେ ପାରାଦୀପ ବନ୍ଦରଠାରୁ ୩୫ ନଟିକାଲ ମାଇଲ ଦୂରରେ ତୈଳବାହୀ ଜାହାଜ ‘ଏମ୍‌ଟି ସି-ଗୁଲ’ର ଇଞ୍ଜିନ ଅଚଳ ହୋଇଯାଇଥିଲା। ସେତେବେଳେ କୋଷ୍ଟଗାର୍ଡ ଓ ପାରାଦୀପ ବନ୍ଦର ମିଳିତ ଭାବେ ଜାହାଜଟିକୁ ଉଦ୍ଧାର କରିଥିଲେ।

ସେହିପରି ଅଗଷ୍ଟ ମାସରେ ପାରାଦୀପରୁ ଚୀନ ଅଭିମୁଖେ ଯାଉଥିବା ’ଏମ୍ଭି ଓସେନ’ ନାମକ ଜାହାଜ ଆଣ୍ଡାମାନ ନିକଟ ଭାରତୀୟ ଜଳସୀମାରେ ବୁଡ଼ିଯାଇଥିଲା। ଜାହାଜରେ ଥିବା ୨୬ ଜଣ ନାବିକଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଅନ୍ୟ ୨୨ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।

ଲଗାତାର ଜାହାଜ ଦୁର୍ଘଟଣା ଓ ଯାନ୍ତ୍ରିକ ତ୍ରୁଟି ଭାରତୀୟ ସମୁଦ୍ରପଥରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି। ତେବେ ପାରାଦୀପ ବନ୍ଦରର ତ୍ୱରିତ ଓ ସମନ୍ବିତ ଉଦ୍ଧାର ଅଭିଯାନ ଯୋଗୁ ଏଥର ୨୭ ନାବିକଙ୍କ ଜୀବନ ସୁରକ୍ଷିତ ରହିପାରିଛି।

 

Dharitri – Odisha’s No.1 Odia Daily

 

Share