ଭିମ୍‌ସାର ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ଅଡୁଆ

ସମ୍ବଲପୁର,୨୦ା୫(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାର ମେଡିକାଲ କଲେଜ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବେପରୁଆ ନୀତି ଯୋଗୁ ପିଲାଙ୍କ ଭବିଷ୍ୟତ ଅଡୁଆରେ ପଡିବା ଭୟ ରହିଛି। ସେମାନଙ୍କୁ ପାସ୍‌ ସାର୍ଟିଫିକେଟ ସହ ଡାକ୍ତର ସ୍ବୀକୃତି ମିଳିବ କି ନାହିଁ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ନ୍ୟାଶନାଲ ମେଡିକାଲ କାଉନ୍‌ସିଲ (ଏନ୍‌ଏମ୍‌ସି) ନିର୍ଦ୍ଦେଶକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଳନ ନ କରିବାରୁ ଛାତ୍ରୀଛାତ୍ରଙ୍କ ପାଇଁ ଅଡୁଆ ବଢିଯାଇଛି। ଏ ସମ୍ପର୍କରେ ଛାତ୍ରୀଛାତ୍ର ଓ ଭିମ୍‌ସାର ପକ୍ଷରୁ ଡାଇରେକ୍ଟର ଅଫ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି)କୁ ଚିଠି କରାଯାଇଥିଲା। ଇତିମଧ୍ୟରେ ୨ମାସ ବିତିଥିଲେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସେମାନେ ଅଭିଯୋଗ କରିଛନ୍ତି, ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପରେ ହାଉସ ସର୍ଜନ ଭାବେ ଏକବର୍ଷ କାମ କରିବାକୁ ପଡିଥାଏ। ଏନ୍‌ଏମ୍‌ସି ନିର୍ଦ୍ଦେଶ ଅନୁସାରେ ହାଉସ ସର୍ଜନ ଭାବେ ଏକବର୍ଷ ତଥା ୫୨ ସପ୍ତାହ କାମ କରିବେ। ଏହି ସମୟ ଭିତରେ ୯ ସପ୍ତାହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ ସର୍ଜନ ଭାବେ କାମ କରିବେ। ସର୍ଜରି, ସ୍ତ୍ରୀ ଓ ପ୍ରସୂତି, ମେଡିସିନ ଭଳି ବିଭାଗ ଉପରେ ଅଧିକ ତାଲିମ ନେଇପାରିବେ। ଏହି ୯ ସପ୍ତାହ କାମ କରିବା ବାଧ୍ୟତାମୂଳକ। ଏହା ପରେ ସାର୍ଟିଫିକେଟ ଓ ସ୍ବୀକୃତି ମିଳିଥାଏ। ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଶେଷ କରି ପ୍ରାୟ ୨ ମାସ ହେବ ୧୫୦ ଛାତ୍ରୀଛାତ୍ର ହାଉସ ସର୍ଜନ ଭାବେ ଭିମ୍‌ସାରରେ କାର୍ଯ୍ୟରତ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ କାହାକୁ ତାଲିମ ପାଇଁ ପଠାଯାଇ ନାହିଁ। ଭିମ୍‌ସାର ପକ୍ଷରୁ ଦେବେଇପାଲି, ଚାଆଁରପୁର, ଠେମରା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ ସର୍ଜନ ଭାବେ କାମ କରିବା ପାଇଁ ଚୟନ କରାଯାଇଛି। ୧୫୦ ଛାତ୍ରୀଛାତ୍ରଙ୍କୁ ଯଦି ଏବେଠାରୁ ଉକ୍ତ ମେଡିକାଲରେ ନିଯୁକ୍ତି ଦିଆ ନ ଯିବ ତା’ହେଲେ ଆଗକୁ ସମୟ ଅଭାବ ରହିବ। ତେଣୁ ଶୀଘ୍ର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଭିମ୍‌ସାର ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ଓ ପୁଣିଥରେ ମେ ୪ ତାରିଖରେ ଚିଠି କରାଯାଇଛି। ଛାତ୍ରୀଛାତ୍ର ମଧ୍ୟ ଡିଏମ୍‌ଇଟିକୁ ଅନୁରୋଧ କରିଛନ୍ତି। ହେଲେ କୌଣସି ଉତ୍ତର ବା ଅନୁମୋଦନ ଆସି ନ ଥିବାରୁ ହାଉସ ସର୍ଜନମାନଙ୍କୁ ନିଯୁକ୍ତି ଦିଆଯାଇପାରୁ ନାହିଁ। ଭିମ୍‌ସାର ଅଧୀକ୍ଷକ ଲାଲମୋହନ ନାୟକ କହିଛନ୍ତି, ଅନୁମୋଦନ ପାଇଁ ଡିଏମଇଟିକୁ ଚିଠି କରାଯାଇଛି। ସେଠାରୁ ଉତ୍ତର ଆସିବା ପରେ ଛାତ୍ରୀଛାତ୍ରମାନେ ସିଡିଏମ୍‌ଓଙ୍କ ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ପାଇବେ।