ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀମାନେ ଜଙ୍ଗଲରେ ହାତୀ ଛୁଆଟି ପଡ଼ିଥିବା ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନବିଭାଗର ଏକ ଟିମ୍ ଏବଂ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତ୍ୟୁ ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀ ଛୁଆଟି କେମିତି ଏବଂ କାହିଁକି ମୃତ୍ୟୁବରଣ କଲା, ତାହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ।
ପ୍ରକାଶଥାଉ କି, ଚଳିତ ବର୍ଷ ମେ’ ମାସ ୨୪ ତାରିଖରେ ଏହି ରେଞ୍ଜର କମର୍ଧା ବିଟ୍ରୁ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା। ଏହାପୂର୍ବରୁ ଜାମପଡ଼ା, ବାଗପୁର ଏବଂ ନର୍ଲା ନବୋଦୟ ବିଦ୍ୟାଳୟ ନିକଟବର୍ତ୍ତୀ ଜଙ୍ଗଲରୁ ମଧ୍ୟ ପୂର୍ବରୁ କିଛି ହାତୀଙ୍କ ଅକାଳ ମୃତ୍ୟୁ ହୋଇଥିବା ନଜିର ରହିଛି। ନର୍ଲା ରେଞ୍ଜରେ ପ୍ରତିବର୍ଷ ଏଭଳି ଭାବେ ହାତୀଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ସଜାଗ ନହେବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ନର୍ଲା ରେଞ୍ଜ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟାଳୟ ବର୍ତ୍ତମାନ ଏମ୍. ରାମପୁରରେ ଚାଲୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।