ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ଜମନକିରା ବ୍ଲକ କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗ୍ରାମର ଶଳା ତାପସ ନାଏକ (୫୦) ଓ ଭିଣୋଇ ପ୍ରତାପ ପଟେଲ (୫୨)। ପରିବାର ଲୋକଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପ୍ରଖର ସ୍ରୋତରେ ପାଣିକୁ ଯାଇ କାର କାଚ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ଗାଁରେ ଶୋକାକୁଳ ପରିବେଶରେ ଦୁହିଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ପ୍ରତାପ ପେସାରେ ଜଣେ ଇଞ୍ଜିନିୟର। ସେ ସିଙ୍ଗାପୁରରେ ଚାକିରି ଛାଡ଼ି ଏକ ମାସ ହେଲା ଗାଁକୁ ଆସିଥିଲେ। ତାପସ ଜୈବିକ ପ୍ରଣାଳୀରେ ଚାଷକରି ଚର୍ଚ୍ଚାରେ ଥିବା ଜଣେ ପ୍ରତିଷ୍ଠିତ ଚାଷୀ ହୋଇଥିବା ବେଳେ ଦିଲ୍ଲୀରେ ଭାରତୀୟ ଜୀବନ ବୀମା ନିଗମରେ କାମ କରୁଥିଲେ। ସେ ଗ୍ରାମକୁ ମଝିରେ ମଝିରେ ଆସି ରହୁଥିଲେ। ନିକଟରେ ତାପସଙ୍କ ମାମୁଙ୍କ ବିୟୋଗ ଘଟିଛି। ତେଣୁ ତାଙ୍କର ଏକାଦଶାହ ପାଇଁ ଶଳା ଭିଣୋଇ ଶନିବାର ଅପରାହ୍ନରେ କାର୍ଡ ବଣ୍ଟନ କରିବାକୁ ଗୁଣ୍ଡୁରୁଚୁଆଁ ଗ୍ରାମରୁ ଏକ କାରରେ ବାହାରିଥିଲେ। ଯିବା ସମୟରେ ଉକ୍ତ ନାଳରେ ପାଣିର ସ୍ରୋତ ଅଧିକ ନ ଥିଲା । ସେମାନେ ଫାସିମାଲ ରାସ୍ତା ଦେଇ ଲଇଡ଼ା ଅଞ୍ଚଳକୁ ଯାଇଥିଲେ । ସମ୍ପର୍କୀୟଙ୍କ ଘରେ କାର୍ଡ ବଣ୍ଟନ କରି ସନ୍ଧ୍ୟାରେ ଫେରୁଥିଲେ। ହେଲେ ପ୍ରବଳ ବର୍ଷା ହେବାରୁ ବାରଟେଙ୍ଗରା ନାଳରେ ପାଣିସ୍ରୋତ ବଢ଼ିଯାଇଥିଲା l ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ସେତିକିବେଳେ ଉକ୍ତ ନାଳ ପାର ହେବା ପାଇଁ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ। ହେଲେ ଶଳା ଭିଣୋଇ ସାହସ କରି ନାଳ ପାର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଖର ସ୍ରୋତରେ କାର୍‌ଟି ଭାସି ଯାଇଥିଲା।