ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା ଧରି ଫସି ରହିଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦଳା ଥାନା ଅନ୍ତର୍ଗତ ନହରପଦା ଗ୍ରାମରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଦୁଷ୍ମନ୍ତ ଦେଶାରୀ ଓ ଅନ୍ୟ ଜଣେ ବ୍ୟକ୍ତି ଏକ କାରରେ ନହରପଦା ଗ୍ରାମକୁ ଯାଉଥିଲେ। ଏହି ସମୟରେ ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ କାରଟି ପାଣି ସୁଅରେ ଭାସିଯାଇଥିଲା। ପରେ କାରଟି ପାଣିରେ ବୁଡ଼ି ରହିଥିଲା। କାର ଭିତରେ ଥିବା ଦୁଇ ଜଣ ବାହାରକୁ ବାହାରି ନ ପାରି ପ୍ରାୟ ଦୁଇ ଘଣ୍ଟା ଧରି ଫସି ରହିଥିଲେ।
ଦୀର୍ଘ ସମୟ ପରେ ଗ୍ରାମବାସୀ କାରଟିକୁ ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର ଉଦ୍ୟମ କରି କାରଟିକୁ ଭରା ପାଣିରୁ ବାହାରକୁ ଆଣିଥିଲେ। ଏଥିସହ କାର ଭିତରେ ଫସିଥିବା ଦୁଇ ଜଣଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।