ତପ୍ତପାଣି ଘାଟିରେ ଓଲଟିଲା କାର: ମରଣ ମୁହଁରୁ ବର୍ତ୍ତିଗଲେ ଶିକ୍ଷୟିତ୍ରୀ       

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ବେଲଗଡ ଗ୍ରାମ ନିକଟ ବୁଲାଣିରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଏକ କାର (ନଂ.ଓଆର୍୦୫ଏଏନ – ୨୧୭୩) ଓଲଟି ପଡିବାରୁ ଜଣେ ଶିକ୍ଷୟିତ୍ରୀ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଶିକ୍ଷୟତ୍ରୀ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଦୀନବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ। ସନ୍ଧ୍ୟାରାଣୀ ଗଜପତି ଜିଲା ମୋହନା ବ୍ଲକ କିରିମା ଗ୍ରାମ ସ୍ଥିତ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି। ଗ୍ରୀଷ୍ମ ଛୁଟି ଯୋଗୁଁ ସ୍କୁଲ ବନ୍ଦ ଥିବାବେଳେ ରୋଷ୍ଟର ଡ୍ୟୁଟି ସାରି ସେ ଫାସିଗୁଡ଼ା ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସାମାନ୍ୟ ଆହାତ ହୋଇଥିବା ଶିକ୍ଷୟତ୍ରୀ ଜଣକ ସାହସ ର ସହ କାର ଡୋର ଖୋଲି ବାହାରକୁ ଆସିଥିଲେ। ପରେ ରାସ୍ତାରେ ଯା ଆସ କରୁଥିବା କିଛି ବ୍ୟକ୍ତି ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷୟତ୍ରୀ ଙ୍କୁ ନେଇ ପୋଡ଼ାମାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।ଖବର ପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।ଏନେଇ କେହି ଥାନାରେ ଏତଲା ଦେଇନଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share