୧୧ କି.ମି. ରଥ ଦାଣ୍ଡରେ ଗଡ଼ିବ ଶ୍ରୀଜୀଉଙ୍କ ରଥ

ଚଣ୍ଡିଖୋଲ/ଛତିଆ,୨୦ା୬(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ): ମଙ୍ଗଳବାର ଶ୍ରୀଜୀଉଙ୍କ ଘୋଷ ଯାତ୍ରା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ରଥରେ ବିଜେ କରି ସର୍ବଜନଙ୍କୁ ଦର୍ଶନ ଦେବେ। ସେଥିପାଇଁ ରଥ ପ୍ରସ୍ତୁତ ହୋଇସାରିଛି। ପ୍ରଶାସନ ତରଫରୁ ପଥ ବି ପ୍ରସ୍ତୁତ ହୋଇସାରିଛି। ତେବେ ନିଆରା ଓ ସବୁଠାରୁ ଅଧିକ ଲମ୍ବା ବଡ଼ଦାଣ୍ଡ ପାଲଟିଛି ଯାଜପୁର ଜିଲାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ଛତିଆର ରଥଯାତ୍ରା। ୧୬ନଂ. ଜାତୀୟ ରାଜପଥର ଛତିଆଠାରୁ ବାହାରି ବଡ଼ଘୁମୁରୀସ୍ଥିତ ମାଉସୀ ମା ଘରକୁ ତିନି ଠାକୁର ବିଜେ ହେବେ। ଛତିଆଠାରୁ ବଡ଼ଘୁମୁରୀ ୧୧ କିଲୋମିଟର । ଏଥିପାଇଁ ଏହାକୁ ଭାରତବର୍ଷ ସବୁଠାରୁ ଦୀର୍ଘତମ ରଥ ଦାଣ୍ଡ ବୋଲି ବିବେଚନା କରାଯାଏ। ଯାହାକୁ ଦେଖିବାକୁ ହଜାର ହଜାର ଲୋକ ରୁଣ୍ଡ ହୋଇଥାନ୍ତି। ସେଥିପାଇଁ ମଙ୍ଗଳବାର ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ତରଫରୁ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥର ଛତିଆଠାରୁ କଡାଇ ଛକ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ବନ୍ଦ ରଖାଯିବ।