ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଶନିବାର ଅପରାହ୍ନ ୫.୩୦ ସମୟରେ ଏକ ମାରୁତି ଡିଜାୟାର କାର (ଓଡି ୦୨ ସି.ଏମ ୫୧୮୭) ଦୃତ ଗତିରେ ଲୁହୁରାକୁଟରୁ ରିଆମାଳ ଅଭିମୁଖେ ଆସୁଥିବା ସମୟରେ କଟାସର ଶିବ ମନ୍ଦିର ନିକଟରେ ବୁଲେଟ (ଓଡି୧୯ ୟୁ ୩୮୩୧)କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ବୁଲେଟ ଚାଳକଙ୍କ ଗୋଡ଼ କଟିଯାଇଥିଲା ।
ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଲେଟ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଛତାବର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ ଓ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଲେ ତୁଙ୍ଗାମାଳ ଗାଁର ସ୍ୱର୍ଗତ ହାଡିବନ୍ଧୁ ନାଏକଙ୍କ ବଡ଼ ପୁଅ ହିମାଂଶୁ ନାଏକ । ସେ ବିଏସଏଫ ଯବାନ ଭାବରେ କାର୍ଯ୍ୟରତ ଥିଲେ । କିଛି ଦିନ ପୂର୍ବରୁ ହିମାଂଶୁ ଛୁଟିରେ ଘରକୁ ଆସିଥିଲେ । ତାଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ କୁଣ୍ଢେଇଗୋଳା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବୁଲେଟକୁ ଜବତ କରି କାର ଚାଳକ ପୂର୍ଣ୍ଣଚନ୍ଦ୍ର ସାହୁ (୨୮)କୁ ଗିରଫ କରି କେସ୍ ନଂ ୟୁଡି୧୮|୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।