ଦଳିତ ବୋଲି ମିଳୁନି ଘରଭଡ଼ା

ସମ୍ବଲପୁର,୪ା୭(ଶୁଭାଶିଷ ପାଢ଼ୀ): ଜାତିକୁ ନେଇ ଆଜି ବି ସମାଜରେ ବିଭେଦ ଲାଗିରହିଛି। ଛଆଁଅଛୁଆଁ ଭାବ ସତେ ଯେମିତି ଲୋକଙ୍କୁ କବଳିତ କରିରଖିଛି। ଦଳିତ ଶ୍ରେଣୀର ହୋଇଥିବାରୁ ପରିବାରକୁ ମିଳିଲାନାହିଁ ଘରଭଡ଼ା। ଫଳରେ ଖୋଲା ଆକାଶ ତଳେ ଦୟନୀୟ ଭାବେ କାଳ କାଟୁଛନ୍ତି ପରିବାର ସଦସ୍ୟ। ଏଭଳି ଏକ ଘଟଣା ସମ୍ବଲପୁର ଜିଲାରେ ଦେଖିବାକୁ ମିଳିଛି। ରେଳ ବିଭାଗ ଜମି ଜବରଦଖଲ କରି ବସବାସ କରିଆସୁଥିବା ପରିବାରକୁ ବିଭାଗ ନିଜସ୍ବ ବ୍ୟବହାର ପାଇଁ ଉଚ୍ଛେଦ କରିଛି।
ପଡ଼ାର ଭକ୍ତ ବାଗ ଓ ଅନ୍ୟମାନଙ୍କ କହିବା ଅନୁଯାୟୀ, ସମ୍ବଲପୁର ଷ୍ଟେଶନ ଚେରୁଆପଡ଼ା ନିକଟରେ ରେଳ ବିଭାଗ ଜମିରେ ୫୦ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଥିଲେ। ପୂର୍ବରୁ ଅନେକଥର ନୋଟିସ ଦିଆଯାଇଥିଲା। ହେଲେ ଜୁଲାଇ ୧ତାରିଖ ସକାଳୁ ହଠାତ୍‌ ପୋଲିସ ଫୋର୍ସ ଆସି ସମସ୍ତ ଘର ଭାଙ୍ଗି ଦେଇଥିଲେ। ଫଳରେ ଦିନମଜୁରିଆ ଶ୍ରେଣୀର ପ୍ରାୟ ୫୦ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପଡ଼ାରେ ବିଜୁଳି, ପାଣି ସହ ସରକାରୀ ଯୋଜନାରେ ପିଡିଏସ୍‌, ଭତ୍ତା ଆଦି ସୁବିଧା ମିଳୁଥିଲା। ଘରଗୁଡ଼ିକ ଭାଙ୍ଗି ଦିଆଯିବା ପରେ ପରିବାର ସଦସ୍ୟଙ୍କୁ ଋ଼ଣ ଶୁଝିବା ଚିନ୍ତା ଘାରିଛି। ଭାଙ୍ଗିବା ପୂର୍ବରୁ ଥଇଥାନ କରିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। କିଛି ପରିବାର ଯୁବତୀ ଓ ମହିଳାମାନଙ୍କୁ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ଛାଡ଼ି ଦେଇଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ ମହିଳାପୁରୁଷ ସହାୟତାକୁ ଚାହିଁ ବସିଛନ୍ତି। ଭକ୍ତ ବାଗ ଆହୁରି କହିଛନ୍ତି, ୨ଦିନ ହେଲା ଆଖପାଖ ପଡ଼ାରେ ଘରଭଡା ନେବା ପାଇଁ ଖୋଜାଖୋଜି କରିଥିଲୁ। ୩ ପରିବାର ସଦସ୍ୟ ଘର ଭଡ଼ା ସୂତ୍ରରେ ଦେଖିଥିଲେ। ମାସିକ ୭ ହଜାର ଟଙ୍କା ମଧ୍ୟ ଦେବା ପାଇଁ ରାଜି ହୋଇଥିଲେ। କିଛି ସାମଗ୍ରୀ ନେଇ ଉକ୍ତ ଘରେ ଛାଡ଼ି ଆସିଥିଲେ। ପରେ ଅଟୋରେ ସାମଗ୍ରୀ ନେଇ ଯାଉଥିବା ବେଳେ ଘର ମାଲିକ ଜାତି ବିଷୟରେ ପଚାରିଥିଲେ। ଯୁବତୀମାନେ ଗଣ୍ଡା ଜାତିର ବୋଲି କହିବାରୁ ଭଡ଼ା ଦେବାକୁ ମନା କରିଦେଇ ସାମଗ୍ରୀ ଫେରାଇନେବାକୁ କହିଥିଲେ। ଶେଷରେ ନିରାଶ ହୋଇ ସେମାନେ ଫେରିଆସିଥିଲେ। ଦଳିତ ଶ୍ରେଣୀର ହୋଇଥିବାରୁ ଏବେ ଘର ଭଡ଼ା ମଧ୍ୟ ମିଳୁନାହିଁ। ପ୍ରଶାସନ ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ଦେଇ ଖୋଲା ଆକାଶ ତଳେ ରହୁଥିବା ପରିବାର ପ୍ରତି ସହାନୁଭୂତି ଦେଖାଉ। ଘରଭଡ଼ା ମିଳିବା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଥିଲେ।