ପରିବା ଗାଡ଼ିରୁ ମିଳିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଜୟପୁର, ୧।୫: ପନିପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ତାହା ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି ମୋବାଇଲ ଫୋନ ସମେତ ନଗଦ ୧୧,୭୦୦ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଶାର ଓ ଅନ୍ୟଜଣେ ବାହାର ରାଜ୍ୟର ବୋଲି ଜଣାପଡିଛି।
ଶୁକ୍ରବାର ଜୟପୁର ସଦର ଦେଇ ଏକ ପନିବରିବା ବୋଝେଇ ପିକ୍‌ଅପ୍‌ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା। ଖବରପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଡିକୁ କଟା ଜଙ୍ଗଶନ ନିକଟରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡିରୁ ୩୯୨ କେଜି ଗଞ୍ଜେଇ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏହି ଗଞ୍ଜେଇ ଚାଲାଣ ମାମଲାରେ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଗଞ୍ଜେଇ ଗାଡିଟି ବିହାରକୁ ଯାଉଥିଲା। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ସୂଚନା ଦେଇଛନ୍ତି।