କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଗିରଫ ୨ ଜଣ ହେଲେ ସାୟେଦ ପପୁ କସମ ଏବଂ ଦାଖନେ ପାଣ୍ଡୁରାଙ୍ଗ ଜଗଦୀଶ। ଉଭୟଙ୍କ ଘର ମହାରାଷ୍ଟ୍ରର ସିରୁର ଥାନା ମନୁର ଗ୍ରାମରେ ବୋଲି ପୋଲିସ କହିଛି। ତାଙ୍କ ନାମରେ ପୋଲିସ ମାମଲା (୨୩୮ /୨୬ )ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ପ୍ରକାଶ ଯେ, ଗୋଟିଏ ଧଳା କାର୍‌ ନଂ (ଏମ୍‌ଏଚ୍‌ ୦୩ ବିଏଚ୍‌ ୨୦୮୦)ରେ ବାଲିଗୁଡ଼ା ପଟରୁ ଦାରିଙ୍ଗବାଡ଼ି ଦେଇ ମହାରାଷ୍ଟ୍ର ଚୋରାଚାଲାଣ ହେଉଥିଲା ଗଞ୍ଜେଇ। କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ସବ୍‌ଇନ୍ସପେକ୍ଟର ବାସନ୍ତୀ ବେହେରା ସଦଳବଳ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ିର ଟୋଲଗେଟ୍‌ ନିକଟରେ ବ୍ଲକିଂ କରି ଉକ୍ତ କାରକୁ ଧରି ଯାଞ୍ଚ କରିବା ବେଳେ ସେଥିରୁ ଡିକିରେ ଗଞ୍ଜେଇ ରହିଥିବା ଧରାପଡ଼ିଥିଲା। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ସହ ଜବତ କରାଯାଇଥିଲା। ଏଥିରେ ବ୍ୟବହୃତ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି।

Dharitri – Odisha’s No.1 Odia Daily

Share