କୋରିଅରରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟ୍ରେନ୍‌ରେ ଯାଞ୍ଚ କଡ଼ାକଡ଼ି ହେଉଥିବାରୁ କୋରିଅରରେ ଗଞ୍ଜେଇ ଚାଲାଣ ହେଉଛି। ଭୁବନେଶ୍ୱରରେ ଭଡ଼ାରେ ରହି ଅଣଓଡ଼ିଆ ଯୁବକମାନେ ଏହି ବେଆଇନ ବେପାର କରୁଛନ୍ତି। ଗଜପତିରୁ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସ ହାତରେ ଧରାପଡିଛି। ର଼୍ୟାକେଟରେ ସମ୍ପୃକ୍ତ ୨ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଗଣ୍ଡାବସ୍ତି ଜିଲା କର୍ନାଲଗଞ୍ଜ ଥାନା ଅଞ୍ଚଳର ଅନିରୁଦ୍ଧ କୁମାର ମିଶ୍ରା(୩୦) ଓ ଗାଜିଆବାଦ ଜିଲା ଖୋରା ଥାନା ଅଞ୍ଚଳର ମିନିଷ କୁମାର(୩୨)। ଏମାନଙ୍କଠାରୁ ୩ଟି ବାକ୍ସରେ ଭର୍ତ୍ତି ହୋଇଥିବା ୪୫ କେଜି ୧୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ହେବ। ଏନେଇ ପୋଲିସ ଏକ ମାମଲା (ନଂ-୩୪୦/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ତେବେ ଏମାନେ ଓଡ଼ିଶାରୁ କେତେଥର କାହାପାାଖକୁ ଗଞ୍ଜେଇ ଚାଲାଣ କରିଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ୩ ମାସ ହେବ ଓଡିଶା ଆସି ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରିଥିଲେ। ମଞ୍ଚେଶ୍ୱର ଥାନା ଶବର ସାହିରେ ଏକ ଘର ଭଡା ନେଇ ରହୁଥିଲେ। ଗଜପତି ଜିଲା ମୋହନା ବ୍ଲକରେ କେତେଜଣ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ରହୁଥିଲେ। ଏମାନେ ଟଙ୍କା ପଠାଇବା ପରେ ସେମାନେ ଗଞ୍ଜେଇକୁ ପ୍ୟାକିଙ୍ଗ କରି ବସ୍‌ ଯୋଗେ ଭୁବନେଶ୍ୱର ପଠାଉଥିଲେ। ଏହାପରେ ଉକ୍ତ ଗଞ୍ଜେଇକୁ ଭଡାଘରକୁ ଆଣି କପଡ଼ା ଗୁଡ଼ାଇ ବାକ୍ସରେ ଅଭିନବ ଉପାୟରେ ପାକିଂ କରୁଥିଲେ। ବାକ୍ସର ତଳଭାଗରେ ଗଞ୍ଜେଇ ରଖି ଉପରଭାଗରେ କପଡା ରଖି ରସୁଲକଡ଼ ଶିଳ୍ପାଞ୍ଚଳସ୍ଥିତ ଏକ କୋରିଅର ସହାୟତାରେ ଦିଲ୍ଲୀ ପଠାଉଥିଲେ। ଉକ୍ତ ଗଞ୍ଜେଇକୁ ରିସିଭ କରିବାକୁ ତାଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଚାଲିଯାଆନ୍ତି। ସେ ସେଠାରେ ଗଞ୍ଜେଇ ନେଇ ଠିକଣା ଜାଗାରେ ପହଞ୍ଚାଇଥାନ୍ତି। ତେବେ ୧୦ ଦିନ ତଳେ ଏକ ଗଞ୍ଜେଇ ବାକ୍ସକୁ ଦିଲ୍ଲୀ ପୋଲିସ ଧରିଥିଲା। ହେଲେ ସେତେବେଳେ ଏମାନେ ପୋଲିସ କବଳରୁ ଖସି ପଳାଇ ଆସିଥିଲେ। ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ କୋରିଅର ସଂସ୍ଥାକୁ ନୋଟିସ କରିଥିଲା। ତେବେ ଶନିବାର ଦୁଇ ଅଭିଯୁକ୍ତ ପୁଣି ଗଞ୍ଜେଇ ପ୍ୟାକ୍‌ କରି ଉକ୍ତ କୋରିଅର କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ସେଠାରେ ଥିବା କର୍ମଚାରୀ ପୋଲିସକୁ ଖବର ଦେଇଥିଲେ।