Categories: ଗଞ୍ଜାମ

ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ହୋଇନି ପ୍ରାର୍ଥୀ ଚୟନ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ଉପଜିଲାପାଳଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନ ଜଣେ ବି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବା ଜଣାପଡ଼ିଛି। ତେବେ କର୍ପୋରେଟର ନିମନ୍ତେ ୫୮ ଏବଂ ମେୟର ପାଇଁ ୨ଟି ଫର୍ମ ବିକ୍ରି ହୋଇଛି। ଅପରପକ୍ଷରେ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇ ନ ଥିବାରୁ ଉଭୟ ପଦ ଲାଗି ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶାସକ ଦଳର ଆଶାୟୀଙ୍କ ସଂଖ୍ୟା ଲମ୍ବିଛି। କାହାକୁ ମନୋନୀତ କରାଯିବ ତାହା ସମସ୍ୟା
ସୃଷ୍ଟି କରିଛି।
ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ସମେତ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଏବଂ ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି ଆଦି ୧୬ ଏନ୍‌ଏସି ରହିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଛି ଓ ଭୋଟ ଫଳାଫଳ ପ୍ରକାଶ ପାଇଛି। ଏବେ ଜିଲାର ୧୮ ସହରାଞ୍ଚଳ ରାଜନୀତି ସରଗରମ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡିର ସୁନାମି ଦେଖି ବିରୋଧୀ ଦଳ ଛାନିଆ ହୋଇଯାଇଛନ୍ତି ଏବଂ ଉଭୟ କଂଗ୍ରେସ ଓ ଭାଜପାରୁ ପ୍ରାର୍ଥୀ ହେବାକୁ ଅଧିକାଂଶ ପଛଘୁଞ୍ଚା ହେଉଥିବା ବିଭିନ୍ନ ଖଟିରେ ଚର୍ଚ୍ଚା କରାଯାଉଛି।
ମହାନଗରରେ ୨୦୧୩ ପୌର ନିର୍ବାଚନ ବେଳେ ୪୦ ୱାର୍ଡ ଥିଲା। ମେୟର ପଦ ନିମନ୍ତେ ପରୋକ୍ଷ ଭୋଟ ହୋଇଥିଲା। ଚଳିତ ନିର୍ବାଚନରେ ଦୁଇଟି ୱାର୍ଡ ବଢ଼ି ୪୨ ହୋଇଛି। ସହରାଞ୍ଚଳ ଭୋଟରଙ୍କ ସଂଖ୍ୟା ମଧ୍ୟ ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ମେୟର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାରୁ ସବୁ ଦଳର ମହିଳା ପ୍ରାର୍ଥୀଙ୍କ ନିମନ୍ତେ ଚ୍ୟାଲେଞ୍ଜ ହେବାର ସ୍ପଷ୍ଟ ହୋଇଛି।
ବିଜେଡି ନେତାଙ୍କ ସୂଚନାନୁସାରେ କାହାକୁ ମେୟର ପ୍ରାର୍ଥୀ କରାଯିବ ତାହା ରାଜ୍ୟ ସଂଗଠନ ବା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କର୍ପୋରେଟର ପ୍ରାର୍ଥୀ ବିଧାୟକ ବିକ୍ରମ ପଣ୍ଡା ମନୋନୀତ କରିବେ ବୋଲି ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ୪୨ ୱାର୍ଡରୁ ଅର୍ଦ୍ଧେକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ଅନେକ ପୂର୍ବତନ ପୁରୁଷ କର୍ପୋରେଟର ଭୋଟ ଲଢ଼େଇରୁ ବଞ୍ଚିତ ହେବେ। କେତେକ ନିଜ ସ୍ତ୍ରୀଙ୍କୁ ପ୍ରୋଜେକ୍ଟ କରୁଥିଲେ ମଧ୍ୟ ଟିକେଟ ମିଳିବାର ଗ୍ୟାରେଣ୍ଟି ନ ଥିବାରୁ ସେମାନେ ବିଦ୍ରୋହୀ ସାଜି ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି।
ବିଜେଡିର କର୍ପୋରେଟର ତାଲିକା ପ୍ରକାଶ ପରେ ଭାଜପା ପ୍ରାର୍ଥୀ ମନୋନୀତ କରାଯିବ ବୋଲି ବରିଷ୍ଠ ନେତା ତଥା ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ କାହ୍ନୁ ଚରଣ ପତି ବୁଧବାର ସୂଚାଇଛନ୍ତି। ୪୨ ୱାର୍ଡ ନିମନ୍ତେ ଭାଜପାରୁ ପ୍ରାର୍ଥୀ ହେବାକୁ ଦେଢ଼ ଶହରୁ ଅଧିକ ଆବେଦନ କରିଥିବା ସେ ଦର୍ଶାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ନିମନ୍ତେ ସ୍ବତନ୍ତ୍ର ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ୩ ପ୍ରମୁଖ ଦଳର ମହିଳା ମେୟର ପ୍ରାର୍ଥୀ କେଉଁମାନେ ହେବେ ମହାନଗରରେ ଚର୍ଚ୍ଚା ଜୋର ଧରିଛି।