ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର

କଟକ ଅଫିସ, ୧୨ା୩: ପୌର ନିର୍ବାଚନ ପାଇଁ ସରଗରମ ହୋଇଛି କଟକ ସହର। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ। ହାତରେ ଆଉ ଅଳ୍ପଦିନ ବାକି ଥିବାବେଳେ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ବିଶେଷକରି ଘର ଘର ବୁଲି ଭୋଟରଙ୍କ ପାଖରେ ପହଞ୍ଚିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଂଗ୍ରେସ, ଭାଜପା ଏବଂ ଏସ୍‌ୟୁସିଆଇ(ସି)ର ମେୟର ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା।
କଂଗ୍ରେସର ମେୟର ପ୍ରାର୍ଥିନୀ ଗିରିବାଳା ବେହେରା କଟକ ମହାନଗର ନିଗମ(ସିଏମ୍‌ସି)ର ୪୦, ୪୧ ନମ୍ବର ୱାର୍ଡରେ ପ୍ରଚାର କରିଛନ୍ତି। ସେ କର୍ପୋରେଟର ପ୍ରାର୍ଥିନୀ ସ୍ବର୍ଣ୍ଣପ୍ରଭା ପଶାୟତଙ୍କ ସହ ମିଶି ମଲ୍ଲାସାହି, ଟିଣପିଟା ସାହି, ମାଳିସାହି, ଯୋବ୍ରା, ମଝିସାହି, ରେହମାନ ଛକ, ପାରେଶ୍ୱର ସାହିରୁ ମାଛ ମାର୍କେଟ ଆଦି ଅଞ୍ଚଳରେ ପଦଯାତ୍ରା କରିଥିଲେ। ଏଥିସହ ୱାର୍ଡ ଅଞ୍ଚଳର ମୌଳିକ ସମସ୍ୟାରେ ସୁଧାର ଆଣିବା, ସିଏମ୍‌ସିକୁ ଦୁର୍ନୀତି ମୁକ୍ତ ଓ ସମୃଦ୍ଧ କରି ଗଢିବା ପାଇଁ କହି ଲୋକମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ଜଗଦୀଶ ମହାନ୍ତି, ତ୍ରିଲୋଚନ ମହାନ୍ତି, ନିକୁଞ୍ଜ ପଶାୟତ, ବିଶ୍ୱଜିତ୍‌ ଦାସ, ସତ୍ୟାନନ୍ଦ ରାଉତ, ଡ. କସ୍ତୁରୀ ଖଟାଇ, ସିପିଆଇ ଜିଲା ସମ୍ପାଦକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
ସେହିପରି ଭାଜପା ମେୟର ପ୍ରାର୍ଥୀ ଶ୍ରୀତମ ଦାସ ସିଏମ୍‌ସିର ୭, ୧୭, ୧୯, ୨୫, ୩୩ ନମ୍ବର ୱାର୍ଡରେ ପ୍ରଚାର କରିଥିଲେ। ଏହି ପ୍ରଚାରରେ ୭ ନଂ. ୱାର୍ଡର କର୍ପୋରେଟର ପ୍ରାର୍ଥୀ ସ୍ନେହମଞ୍ଜରୀ ମହାନ୍ତି, ୨୫ନଂ. ୱାର୍ଡର ପ୍ରାର୍ଥୀ ନିତାଇ ନନ୍ଦ, ୩୩ ନଂ. ୱାର୍ଡର ପ୍ରାର୍ଥୀ ଆର୍ଯ୍ୟକନ୍ୟା ମହାରଣା, ୧୯ ୱାର୍ଡର ପ୍ରାର୍ଥୀ ୱାଇ. ୱାଣି, ୧୭ନଂ. ୱାର୍ଡର ପ୍ରାର୍ଥୀ ସୀମାରାଣୀ ସିଂ ନିଜ ୱାର୍ଡରେ ଶ୍ରୀତମଙ୍କ ସହ ମିଶି ପ୍ରଚାର କରିଥିଲେ। ଏହି ପ୍ରଚାରରେ କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ ପ୍ରମୁଖ ସାମିଲ ହୋଇଥିଲେ।
ଏସ୍‌ୟୁସିଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ ମହାନଦୀ ବିହାର ଅଞ୍ଚଳରେ ଘର ଘର ବୁଲି ପ୍ରଚାର କରିଥିଲେ। ସହରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ କହିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ।