ଲିଙ୍ଗଭିତ୍ତିକ ହିଂସା ନିରୋଧ ଅଭିଯାନ, ମହିଳାଙ୍କ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କ ପ୍ରତି ହିଂସା ନିରୋଧ ଅନ୍ତର୍ଜାତୀୟ ଦିବସ ଅବସରରେ ଗଞ୍ଜାମ ଜିଲାରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଜିଲାପାଳ ଭି. କୀର୍ତ୍ତି ଭାସନ ଓ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଥିଲେ। ନଭେମ୍ବର ୨୫ରୁ ଡିସେମ୍ବର ୧୦ ମାନବାଧିକାର ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ ଓ ସମାନତା ନେଇ ସଚେତନତା ସୃଷ୍ଟି କରିବ।

ଜିଲପାଳଙ୍କ ଅଧ୍ୟକ୍ଷତାରେ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କହଁରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଯୌନ ଉତ୍ପୀଡ଼ନ ନିରୋଧ ଆଇନ, ୨୦୧୩ ସମ୍ପର୍କିତ ଶପଥ ପାଠ କରାଇଥିଲେ। ମହିଳା ଓ ବାଳିକାଙ୍କ ପାଇଁ ଏକ ଭୟମୁକ୍ତ ପରିବେଶ ସୃଷ୍ଟି ସହ ପୀଡ଼ିତାଙ୍କୁ ସହାୟତା ଓ ନ୍ୟାୟ ଯୋଗାଇଦେବା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।

ଏହି ୧୬ ଦିନିଆ ଅଭିଯାନରେ ଘରୋଇ ହିଂସା, ଯୌତୁକ ନିର୍ଯାତନା, ବାଲ୍ୟବିବାହ, ସାଇବର ହିଂସା ଓ ପୋକ୍ସୋ ଆଇନ ଆଦି ବିଷୟରେ ୩୦ଟି ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ପ୍ରଚାର କରାଯିବ। ଜିଲାର ବିଭିନ୍ନ ବ୍ଲକ, ପଞ୍ଚାୟତ, ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ରାଲି, ଆଲୋଚନାଚକ୍ର ସହ ପାଲା ଓ ଦାସକାଠିଆ ଭଳି ଲୋକକଳା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବ।

‘ହିଂସାକୁ ନା, ସମ୍ମାନକୁ ହଁ’ ସ୍ଲୋଗାନ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗନଓ୍ବାଡ଼ି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଛାତ୍ରୀମାନେ ଯୋଗଦେଇଥିଲେ। ଜିଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଅଭିଯାନକୁ ଜିଲା ସଂଯୋଜିକା ଗୀତାଞ୍ଜଳି ମହାରଣା ସମନ୍ବୟ କରିଥିଲେ।

Dharitri – Odisha’s No.1 Odia Daily

Share