କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଉଛି। ଟିମ୍‌ ଗଠନ ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀର ମାନସ ସ୍ବାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣା’ ନାମକ ଏକ ଓ୍ବେବ୍‌ ପୋର୍ଟାଲରେ କ୍ୟାମେରା ମ୍ୟାନ ଭାବେ କାମ କରୁଥିଲେ। କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ଓ୍ବେବ୍‌ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରି ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ମେମୋରି ଚିପ ଫେରାଇବାକୁ ମାନସଙ୍କୁ ଅନୁରୋଧ କରିଥିଲେ। ମାନସ ନ ଫେରାଇବା ପରେ ତାଙ୍କୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।

ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ମାରି ପୋତି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ମାତ୍ର ଏବେ ମଧ୍ୟ ୩ ଜଣ ଫେରାର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇଛି।