କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ହାଇକୋର୍ଟରେ ନିରଞ୍ଜନଙ୍କ ଜାମିନ ଆବେଦନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗୁରୁବାର ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ଭଦ୍ରକ ଜିଲା ଦୌରାଜଜ୍‌ ଓ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ରିନଞ୍ଜନଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଏହି ମାମଲାରେ ନିରଞ୍ଜନ, ରାଜ୍‌ କମ୍ୟୁନିକେଶନ ମାଲିକ ରଞ୍ଜନ ନାୟକ, ଶର୍ମିଷ୍ଠା ପାଣିଗ୍ରାହୀ ଓ ସହଯୋଗୀ ଝୁନାଙ୍କ ସମେତ ୮ଜଣ ଗିରଫ ହୋଇଛନ୍ତି। ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ୱେବ୍‌ ପୋର୍ଟାଲରେ ମାନସ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ତେବେ ଏକ ମେମୋରି ଚିପ୍‌କୁ ନେଇ ବିବାଦ ହେବାରୁ ସେ ସଂସ୍ଥା ଛାଡ଼ି ଦେଇଥିଲେ। ମାନସ ଫେବୃୟାରୀ ୫ରେ ବାହାଘର ଉତ୍ସବ ଫଟୋ ଉଠାଇବାକୁ ଚାନ୍ଦବାଲି ପଳାଶପୁର ଯାଇଥିଲେ। ୭ରେ ପଳାଶପୁର ଛକରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଏକ କାର୍‌ରେ ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ଦୟାଲ ଆଶ୍ରମକୁ ଆଣି ନିର୍ଯାତନା ଦେଇଥିଲେ। ପରେ ତାଙ୍କୁ ହତ୍ୟା କରି ମୃତଦେହକୁ କାର୍‌ରେ ନେଇ ନୟାଗଡ଼ ଜିଲା ରଣପୁର ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ମାର୍ଚ୍ଚ ୧୨ରେ ମାନସଙ୍କ ମୃତେଦହ ଉଦ୍ଧାର କରାଯାଇଥିଲା। ନିରଞ୍ଜନଙ୍କ ସହ ଶର୍ମିଷ୍ଠାଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ଏପରି କି ନିରଞ୍ଜନ ଅବସର ନେବାର କିଛି ଦିନ ପୂର୍ବରୁ ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ପାକ୍ଷିକ ପତ୍ରିକାକୁ ସରକାରୀ ବିଜ୍ଞାପନ ପାଇଁ ପ୍ୟାନେଲଭୁକ୍ତ କରିଥିଲେ।