ଡାକିଲେ, ଅସମ୍ମାନ କଲେ

ମାଲକାନଗିରି,୧୫ା୯ (ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଗୃହ ତଥା ସଦାଚାର କମିଟି ବୈଠକ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏହି ବୈଠକକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକିଥିଲେ। ବୈଠକର ବିବରଣୀକୁ ବହୁଳ ଭାବେ ପ୍ରଚାର ପ୍ରସାର ପରାମର୍ଶ ଦେଇଥିଲେ। ନିମନ୍ତ୍ରଣ ପାଇ ଗଣମାଧ୍ୟମ ପ୍ରତିନିଧିମାନେ ନିଦ୍ଧିଷ୍ଟ ସମୟରେ ଗୃହରେ ପହଞ୍ଚତ୍ଥିଲେ। ତେବେ ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିଧିମାନଙ୍କୁ ବାହାରକୁ ଚାଲିଯିବା ପାଇଁ ଗୃହ କମିଟି ଅଧ୍ୟକ୍ଷ ଅମର ଶତପଥୀ କହିଥିଲେ। ଫଳରେ ଖବର ସଂଗ୍ରହ କରିବାକୁ ଯାଇଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ କକ୍ଷ ତ୍ୟାଗ କରି ଚାଲି ଆସିଥିଲେ। ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇଥିଲେ। ଏହା ଜିଲା ପ୍ରଶାସନ ଦ୍ୱାରା ହୋଇନାହିଁ, ଗୃହ କମିଟି ଅଧ୍ୟକ୍ଷ ଏହି ନିଷ୍ପତ୍ତି ନେଇଥିଲେ ବୋଲି ଆଚାର୍ଯ୍ୟ କହିଥିଲେ। ତେବେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏହାକୁ ବିଭିନ୍ନ ଗଣମାଧ୍ୟମ ସଙ୍ଗଠନ ପ୍ରତିବାଦ କରିଛନ୍ତି। ଆଗାମୀ ଦିନରେ ଏପରି ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଜଣାଇଛନ୍ତି। ବୈଠକରେ ଗୃହ କମିଟି ଅଧ୍ୟକ୍ଷ ବିଧାୟକ ଅମର ପ୍ରସାଦ ଶତପଥୀ, ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲାପାଳ ବିଶାଲ ସିଂ, ଏସ୍‌.ପି. ନିତିଶ୍‌ ବାଧ୍ୱାନୀଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବୈଠକର ପରେ ଅଧ୍ୟକ୍ଷ ଶତପଥୀ ମାଲକାନଗିରି ଜିଲାରେ ବିକାଶ ଦ୍ରୁତଗତିରେ ହୋଇଛି। ପାନୀୟ ଜଳ, ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ।