ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ ବିଷୋୟୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରେମାଙ୍କ ଭାଇ ରବି ବିଷୋୟୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଗୁରୁବାର ରାତିରେ ପ୍ରେମା ଘରେ ଥିବା ବେଳେ ତାଙ୍କୁ କିଛି ଯୁବକ ଗାଁର ଜଗନ୍ନାଥ  ପଣ୍ଡାଙ୍କ ଫାର୍ମ ହାଉସକୁ ଡାକି ନେଇଥିଲେ। ସେଠାରେ ସମସ୍ତେ ମଦ ପିଇଥିଲେ। ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଗାଁର ସ୍ବର୍ଗତ ଶ୍ୟାମ ସ୍ବାଇଁ  ପୁଅ ଦିଗା ସ୍ବାଇଁ ଏବଂ ତାଙ୍କ ସମର୍ଥକ ମାନେ ସଂଘବଦ୍ଧ ହୋଇ ପୂର୍ବ ଶତ୍ରୁତା କାରଣରୁ ପ୍ରେମାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଘାତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ସେ ପ୍ରାଣ ବିକଳରେ ଦୌଡ଼ିବାରୁ ତାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ପ୍ରେମା ଗାଁ ନିକଟ ବଳଧିଆ ଛକ କୁକୁଡ଼ା ଫାର୍ମ ନିକଟରେ  ପଡିଯିବାରୁ ଦିଗା ଏବଂ ଅନ୍ୟମାନେ ତାଙ୍କ ଡାହାଣ ହାତ, ଅଣ୍ଟା ଓ ଦୁଇଟି ଗୋଡ଼କୁ ଖଣ୍ଡାରେ ବାରମ୍ବାର ଚୋଟ ପକାଇଥିଲେ। ଡାହାଣ ହାତଟି ସମ୍ପୂର୍ଣ କଟି ଓହଳି ରହିଛି। ସେ ଚେତାଶୂନ୍ୟ ହୋଇ ପଡ଼ିବାରୁ ମୃତ୍ୟୁ  ଗଲା ଭାବି ସେମାନେ ପଳାଇଥିଲେ।ପରିବାର ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି। ଗାଁରେ ଏନେଇ ଚାପା ଉତ୍ତେଜନା ଲାଗିରହିଛି। ଗତ କିଛିଦିନ ହେଲା ଦିଗା ସ୍ବାଇଁ ଦିଗପହଣ୍ଡି ଅଞ୍ଚଳର କିଛି ଅସାମାଜିକ ଯୁବକଙ୍କୁ ଗାଁକୁ ଡକାଇ ଲୋକଙ୍କୁ ଭୟଭୀତ କରାଉଥିଲେ। ଦିଗାଙ୍କ ଉତ୍ପାତ ଯୋଗୁ  ସନ୍ଧ୍ୟା ହେଲେ ଗାଁର ଯୁବତୀ ଓ ମହିଳାମାନେ ପୋଖରୀ କିମ୍ବା ମଠ ମନ୍ଦିରକୁ ଯିବାକୁ ନିରାପଦ ମନେକରୁନଥିଲେ। ଏପରିକି ଛାତ୍ରୀଛାତ୍ର ମାନେ ଟ୍ୟୁଶନ ଯିବାକୁ ଭୟ କରୁଥିଲେ। ଏସବୁ ଘଟଣାକୁ ପ୍ରେମା ବିରୋଧ କରି ଆସୁଥିଲେ। ଏନେଇ ଗତ ଦିନ ମାନଙ୍କରେ ଗାଁ ଠାକୁରାଣୀ ମନ୍ଦିରରେ ଏକାଧିକ ଥର ସଭା କରାଯାଇଥିଲା। ପ୍ରେମା ସଭାରେ ଉପସ୍ଥିତ ରହି ଗାଁ ରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ବିରୋଧ କରିବା ପାଇଁ ଗ୍ରାମବାସୀଙ୍କୁ ଏକଯୁଟ ହେବାକୁ ନିବେଦନ କରୁଥିଲେ। ଗାଁରେ ଯୁବ ବାହିନୀ ଗଠନ କରି  ସେ ଏହାର ନେତୃତ୍ବ ନେଇଥିଲେ। ଦିଗା ଏସବୁକୁ ସହ୍ୟ ନକରି ଗାଁର ଅନ୍ୟକିଛି ଯୁବକଙ୍କୁ ତାର ଗୋଷ୍ଠୀରେ ସାମିଲ କରି ଅସାମାଜିକ କାର୍ଯ୍ୟକଳାପ ଜାରି ରଖିଥିଲେ। ଏସବୁ ଅସାମାଜିକ କାର୍ଯ୍ୟକଳାପକୁ ଅନ୍ୟ ଗୋଷ୍ଠୀର ମୁଖିଆ ପ୍ରେମା ବିରୋଧ କରୁଥିବା କାରଣରୁତାଙ୍କୁ ହତ୍ୟା କରିବା ପାଇଁ ଅପରଗୋଷ୍ଠୀର ଯୁବକ ମାନେ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ପ୍ରକାରେ ପ୍ରେମାଙ୍କୁ ତାଙ୍କ କିଛି ସାଙ୍ଗଙ୍କ ଦ୍ଵାରା କଥା ହେବା ପାଇଁ ଫାର୍ମ ହାଉସକୁ ଡାକିନେଇ ହତ୍ୟା ଉଦ୍ୟମ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share