ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ ଭଉଣୀର ନିଆରା ସମ୍ପର୍କ ଜଣେ ଭାଇକୁ ମାଓବାଦୀରୁ କରିଛି ସାଧାରଣ ମଣିଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ। ସମ୍ପର୍କକୁ ଦୂରେଇ ହାତରେ ବନ୍ଧୁକ ଧରି ରକ୍ତର ହୋଲି ଖେଳୁଥିବା ଏହି ମାଓବାଦୀ ଜଣଙ୍କ ହେଉଛି ମାଓବାଦୀ କ୍ୟାଡର ମହ୍ଲା। ଘଞ୍ଚ ଜଙ୍ଗଲରେ ମାଓବାଦୀ ଭାବେ କାର୍ଯ୍ୟକରି ଆସୁଥିବା ମଲ୍ହା ଘର ପରିବାରକୁ ପଛରେ ପକାଇ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଥିଲେ। ତାଙ୍କର ବର୍ବରତା ଏତେ ବଢ଼ି ଯାଇଥିଲା ଯେ ସରକାର ମହ୍ଲାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ହେଲେ ମନ ଭିତରେ ଥିଲା ଭଉଣୀ ପ୍ରତି ଭଲ ପାଇବା। ଭଉଣୀଠାରୁ ଦୂରେଇ ରହି ମଧ୍ୟ ବେଶୀ ଦିନ ଦୂରେଇ ରଖି ପାରିଲେନି ନିଜକୁ। ଶେଷରେ ଭଉଣୀର ରାଖୀ ତାଙ୍କୁ ଡାକି ଆଣିଲା ମୁଖ୍ୟ ସ୍ରୋତକୁ। ଆଉ ମାଓବାଦୀରୁ ମଲ୍ହା ସାଜିଛନ୍ତି ସାଧାରଣ ମଣିଷ ।
ରାଖୀ ବାନ୍ଧିବା ପାଇଁ ମହ୍ଲା ଭଉଣୀ ଲିଙ୍ଗେଙ୍କ ପାଖକୁ ଆସିଥିଲେ। ଭଉଣୀ ସର୍ତ୍ତ ରଖିଥିଲେ ତୁମେ ଯଦି ଆତ୍ମସମର୍ପଣ କରିବ ତା’ହେଲେ ମୁଁ ରାଖୀ ବାନ୍ଧିିବି । ବହୁତ ଭାବିବା ପରେ ଭଉଣୀଙ୍କ ନିବିଡ଼ ଭଲପାଇବା ନିକଟରେ ମହ୍ଲାଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଥିଲା। ଶେଷରେ ମହ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭଉଣୀ ଲିଙ୍ଗେ ଥାନାରେ ହିଁ ଭାଇଙ୍କୁ ରାଖୀ ପିନ୍ଧାଇଥିଲେ।