ଦିଲ୍ଲୀରୁ ଆସିଲା ଡାକରା: ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ଭାଜପା ନେତୃତ୍ୱ

ଭୁବନେଶ୍ୱର,୧୦।୩: ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଚର୍ଚ୍ଚା ଭିତରେ ରାଜ୍ୟ ଭାଜପା ନେତୃତ୍ୱକୁ ପୁଣି ଦିଲ୍ଲୀରୁ ଡାକରା ଆସିଛି। ଡାକରା ପାଇ ରାଜ୍ୟ ଭାଜପା ନେତୃତ୍ୱ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏଥିରେ ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର,ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ସଂଗଠନ ସମ୍ପାଦକ ମାନସ ମହାନ୍ତି ଅଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ କହିଛନ୍ତି, ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ହିଁ ସବୁକିଛି ନିଷ୍ପତ୍ତି ନିଆଯିବ।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ଫଳରେ ମେଣ୍ଟକୁ ନେଇ ସସପେନ୍ସ ଲାଗିରହିଛି।