ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ

 

ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ ବିଚାର କରିବା ପାଇଁ ସରକାରକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ଶରୀରକୁ ଆହୁତି ଦିଆଯାଉଛି। ଆହୁତିର ଅନ୍ୟ ଅର୍ଥ ଆହ୍ବାନ।
ଆଗରୁ ଚାଷୀ ଆତ୍ମହତ୍ୟା ଏତେ ଘଟିଛି, ତାକୁ ଆତ୍ମାହୁତି କୁହାଯାଇନାହିଁ, କାରଣ ୨୦୧୮ ମେ ୨୯ ପୂର୍ବରୁ ୧୮୬୦ର ଭାରତୀୟ ପିଙ୍ଗଳ ସଂହିତାର ୩୦୯ ଧାରା ଆତ୍ମହତ୍ୟା ଉଦ୍ୟମକୁ ଏକ ଦଣ୍ଡନୀୟ ଅପରାଧ ଧରିଥିଲା। ମରିବାକୁ ଯାଉଥିବା ଲୋକକୁ କିଏ ମରଣମୁହଁରୁ ରୋକିଦେଲା ମାନେ ଲୋକଟିକୁ ବର୍ଷେଯାଏ ଜେଲ୍‌ ହୋଇପାରୁଥିଲା। ୨୦୧୭ରେ ମେଣ୍ଟାଲ୍‌ ହେଲ୍‌ଥ ଆକ୍ଟ ପାରିତ ହେଲା, ତାହା ପିଙ୍ଗଳ କୋଡ୍‌ର ୩୦୯ ଧାରାକୁ ଚୁପ୍‌ କରିଦେଲା। ଲେଖାହୋଇଗଲା ଯେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମଣିଷଟି ପ୍ରବଳ ମାନସିକ ଚାପରେ ଅଛି ବୋଲି ଧରିନିଆଯିବ ଏବଂ ତାହାର ଯଥାବିଧି ଚିକିତ୍ସା କରାଯିବ। ତେଣୁ ଅପରାଧ ନ ହୋଇ ଏକ ସ୍ବାସ୍ଥ୍ୟସମସ୍ୟା ହୋଇଗଲା। ଆତ୍ମହତ୍ୟା ଉଦ୍ୟମକୁ ଆତ୍ମାହୁତି କୁହାଯାଉଛି। ଯେତେବେଳେ ସରକାରୀ ଅବହେଳା ବଞ୍ଚତ୍ରହିବାକୁ ଅସହ୍ୟ କରିଦିଏ ସେତେବେଳେ ବ୍ୟକ୍ତିଟି ଭାବିନିଏ, ଶରୀରଟାକୁ ସରକାର-ସମ୍ମୁଖରେ ଆହୁତିରେ ପକାଇଦେବା ଭଲ ହେବ। ସରକାର ଠାକୁର ହେଲେ ବିଧାନସଭା ତ ତାଙ୍କ ମନ୍ଦିର। ଆଉ କେଉଁଠି ଆହୁତି ଦେଲେ କେହି ରୋକିବେ ନାହିଁ, ବରଂ ମୃତ୍ୟୁକୁ ଅନ୍‌ନାଚୁରାଲ୍‌ ଡେଥ୍‌ କହିବେ। ସରକାର ଯେ ଏ ପ୍ରକାରର ମୃତ୍ୟୁର ଆବେଟର୍‌ (ପ୍ରରୋଚକ) ତେଣୁ ଆଇପିସି ଅନୁଯାୟୀ ଦଣ୍ଡନୀୟ- ସେ କଥା ନ୍ୟାୟାଳୟମାନେ କହୁନାହାନ୍ତି ବୋଲି ସରକାରୀ ଅବହେଳା ବଢିଚାଲିଛି। ଯଦି ସରକାରୀ ଅଧିକାରୀ ନ ଶୁଣନ୍ତି ଏବଂ ପୀଡ଼ିତ ବ୍ୟକ୍ତି ଭୁବନେଶ୍ୱର ଆସିପାରୁନାହିଁ ସେ ଭାବିବ (ତା’ ଆଖିରେ) ସେ ଅଧିକାରୀଙ୍କ ଅଫିସ୍‌ଟା ରହି ଲାଭ କ’ଣ, ତାକୁ ଜାଳିଦେବା ଉଚିତ। ତାହା ହିଁ ରାଜୀବ କିଶାନ୍‌ ରେଙ୍ଗାଳି ତହସିଲ ଅଫିସକୁ ଜାଳି ଦେବାର କାରଣ ହୋଇଥିବ। ସମ୍ବଲପୁର ଜିଲାର ଠେଲକୁଲି ଥାନାର ଗୁମକର୍ମା ଗ୍ରାମର ୩୦ ବର୍ଷ ବୟସ୍କ ରାଜୀବ ବହୁବର୍ଷ ଧରି ବାର ବାର ଅଭିଯୋଗ କରିଆସୁଥିଲା ଯେ ତହସିଲ କର୍ମଚାରୀଙ୍କ ସାଜିସରେ ତାଙ୍କ ଜମିକୁ ଜାଲିଆତି ବିକ୍ରି କରିଦିଆଯାଇଛି, ତାହାର ସଂଶୋଧନ କରାଯାଉ। ତହସିଲଦାର ଚିରାଚରିତ କୈଫିୟତ ଦେଇଛନ୍ତି ତାଙ୍କୁ ସେ କେବେ ଦେଖା କରିନାହିଁ, ସେତକ କହିଲା ବେଳେ ସେ ମନେପକାଉ ନାହାନ୍ତି ଯେ ତାଙ୍କୁ ସାକ୍ଷାତ କରିବାକୁ କିପରି ତାଙ୍କ ପିଆଦା ସୁଯୋଗ ଦିଏ ନାହିଁ! ରେଙ୍ଗାଳି ତ କୌଣସି ମେଡିଅମ୍‌ (ମିଡିଆର ଏକ ବଚନ)ର ମୁଖ୍ୟାଳୟ ପାଖରେ ନାହିଁ, ତେଣୁ ନଭେମ୍ବର ୨୧ର ଅଫିସ୍‌ ପୋଡି ଖବର ପରେ ଭୁଲିଯିବାର ଏକ କ୍ଷଣିକ ପ୍ରକାଶନ ହୋଇଗଲା। ରାଜୀବକୁ ନିଶ୍ଚୟ ନ୍ୟାୟ ନ ମିଳି ଜେଲ ମିଳୁଥିବ। ଯଦି ସିଏ ବିଧାନସଭା ଆଗ ରାସ୍ତାକୁ ଆସି ଆତ୍ମାହୁତି ଦେବାର ଉଦ୍ୟମ କରିଥାନ୍ତା ତେବେ ଭୁବନେଶ୍ୱରର ଇଲେକ୍ଟ୍ରୋନିକ୍‌ ମିଡିଆ ଏବେ ବି ପାଟି କରୁଥାନ୍ତେ। ଆଠଗଡ଼ ସମବାୟ ଋଣ ସମିତି ଯଦି ମିଥ୍ୟା-ଋଣ-ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଇଥାନ୍ତା, ତିନିଜଣ ଚାଷୀ ୨୭ ନଭେମ୍ବରରେ ବିଧାନସଭା ଆଗର ସଡ଼କକୁ ଆତ୍ମାହୁତି କରିବାକୁ ଆସି ନ ଥାନ୍ତେ।
ନୟାଗଡ଼ର ଯଦୁପୁର ଗାଁର ୫ ବର୍ଷର ‘ପରୀ’ ମୃତ୍ୟୁର ସନ୍ଦିଗ୍ଧ କାରଣ ରାଜନେତାମାନଙ୍କ ଛତ୍ରଛାୟା ତଳେ ଥିବା ଚକ୍ଷୁ ଓ ବୃକ୍‌କ ବିକ୍ରେତା ଭାବେ ଅଭିହିତ ବ୍ୟକ୍ତିଟିଏ ବୋଲି ଆସାମୀକୁ ପୋଲିସ୍‌ ଧରୁନାହିଁ- ତାହା ଦୁନିଆକୁ ଜଣାଇବା ପାଇଁ ପରୀର ମାଆବାପା ସୌଦାମିନୀ ଓ ଅଶୋକ ବିଧାନସଭା ଆଗର ସର୍ବସାଧାରଣ ରାସ୍ତାରେ ଆତ୍ମାହୁତି ଉଦ୍ୟମ କଲେ। ଆତ୍ମାହୁତି ଦେବା ଯୋଜନାରୁ ‘ରକ୍ଷା’ କରି ପାରିବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସଫଳତା ବୋଲି ଉଚ୍ଚ ପୋଲିସ୍‌ ଅଧିକାରୀମାନେ ବାହାବା ନେଲେ ଏବଂ ମିଡିଆ ବି ପୋଲିସ୍‌କୁ ପ୍ରଶଂସା କଲେ। ସରକାର ଉତ୍ସାହିତ ହୋଇ ଦିନେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ପରିସରକୁ ଏଜି ଛକଠାରୁ ରବୀନ୍ଦ୍ର ଭବନ ଯାଏ ବ୍ୟାପ୍ତ କରିଦେଇପାରନ୍ତି ା ଏପରି ବି ହେଲା, ଆତ୍ମାହୁତି ପାଇଁ କୁଜଙ୍ଗର ସୁଲୋଚନା ଓ ତା’ ପୁଅ ସୁବ୍ରତକୁ ଇନ୍ଦିରା ଗାନ୍ଧୀପାର୍କ ପଛଆଡକୁ ଯିବାକୁ ପଡିଲା। ତଥାପି ପ୍ରପୀଡ଼ିତା ମିଡିଆର ନଜରକୁ ଆସିଗଲା। ତ୍ରି- ବା ଚତୁଃ- ସ୍ତରୀୟ ବ୍ୟବସ୍ଥା ଘୁଞ୍ଚତ୍ ଘୁଞ୍ଚତ୍ ଦିନେ ଭୁବନେଶ୍ୱର ରେଳ ଷ୍ଟେଶନ ପାଖକୁ ଚାଲିଯିବ, ସରକାରୀ ବ୍ୟବସ୍ଥା ବିରୋଧରେ ନାଗରିକର ଅଭିଯୋଗକୁ ସହଜରେ ଦଳି ଦେଇହେବ। ସରକାରୀ ଅବହେଳା ଏବଂ ନେତାମାନଙ୍କ ତଥା ସେମାନଙ୍କ ସମର୍ଥନରେ ଦାଦାମାନଙ୍କ ଜୁଲୁମ ଲୋକଲୋଚନକୁ ଆସିବ ନାହିଁ କାରଣ ତାହାର ସୁରାକ ମିଡିଆକୁ ମିଳିବ ନାହିଁ। ମିଡିଆ ପୋଲିସ୍‌ର କର୍ଡନକୁ ପ୍ରଶ୍ନ ନ କରି ଲୋକପ୍ରତିନିଧିମାନଙ୍କଠାରୁ ଲୋକଙ୍କୁ କାହିଁକି ଦୂରେଇ ରଖାଯାଉଛି ସେ ପ୍ରଶ୍ନ ଉଠାଇବା ଉଚିତ। ଏହାର ଗୂଢ ଅର୍ଥ ଟିକେ ବୁଝନ୍ତୁ। ଲୋକପ୍ରତିନିଧିମାନେ ବିଧାନସଭାରେ ସରକାର ବିରୋଧରେ ପାଟି କରିବାର ତାତ୍କାଳିକ କାରଣ ଆଉ ପାଇବେ ନାହିଁ।
ଅଧିକନ୍ତୁ ନିଜର ଦୁଃଖକୁ ସର୍ବସାଧାରଣଙ୍କୁ ଜଣାଇବାର ସୁବିଧା ଆଉ ମିଳିବ ନାହିଁ, ସରକାରୀ-ଅବହେଳାକୁ ପ୍ରଦର୍ଶନ କରିବାକୁ ଆସୁଥିବା ଲୋକକୁ ପୋଲିସ ତ ସମସ୍ତଙ୍କ ଅଜାଣତରେ କୁଆଡେ ଟେକି ନେଇଥିବ, ଟେକାହୋଇ ନିଆ ହୋଇଥିବା ଲୋକ କୁଆଡେ ଗଲା କେହି ଜାଣିବେ ନାହିଁ। ଏ ଗଣ-ତନ୍ତ୍ର ନା ଗଣ-ହତ୍ୟା। ସରକାରଙ୍କ ପ୍ରତି କେହି ଅସନ୍ତୁଷ୍ଟ ନୁହନ୍ତି ବୋଲି ପୋଲିସ୍‌ର ରେକର୍ଡ ଦେଖି ଜାତିସଂଘ ରାଜ୍ୟକୁ ପ୍ରଶଂସା ପତ୍ର ଦେବେ। ଯେମିତି ଅପରାଧୀକୁ ଏନ୍‌କାଉଣ୍ଟରରେ ମାରି (ମୂଳୁ ମାଇଲେ ଯିବ ସରି) ଶାସକ ଦଳର ନେତାଙ୍କ ସହଯୋଗକୁ ପୋଲିସ୍‌ ଘୋଡ଼ାଇପକାଏ, ଆମ ରାଜ୍ୟର ରାଜଧାନୀରେ ବହୁସ୍ତରୀୟ ପୋଲିସ୍‌ ଘେର (କର୍ଡନ) ସେହିଭଳି କାମ କରିବ। ସଭ୍ୟ ରାଷ୍ଟ୍ରର ନାଗରିକ କ’ଣ ଏଇୟା ଚାହେଁ? ଏପରି କି ଶାସକ ଦଳକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀମାନେ କ’ଣ ଶାସକ ଦଳର ଏ ପ୍ରକାରର ପଦ- ବା ହସ୍ତ- କ୍ଷେପକୁ ପସନ୍ଦ କରିବେ?
ସୁନାରୁପା ଚୋରକୁ ଧରିବାରେ ପୋଲିସ୍‌ ଯେତିକି ମୁଣ୍ଡ ଖେଳାଉଛି ସେତିକି ମୁଣ୍ଡ ଲଗାଇଲେ ବୃକ୍‌କ ଓ ଚକ୍ଷୁ ଚୋର ବୋଲି ସନ୍ଦେହ କରାଯାଉଥିବା ଲୋକଟା ଏବଂ ଲୋକଲୋଚନ ଆଢ଼ୁଆଳରେ ରାତାରାତି କୋଟିପତି ହେଉଥିବା ଲୋକଟା ଏ ଯାବତ୍‌ ପୋଲିସ ଜାଲରେ ଧରାପଡି ନ ଥାନ୍ତା କିି? ସାହୁ ଦମ୍ପତିର ପଡ଼ିଶାମାନେ ମନ୍ତ୍ରୀଙ୍କ ପାଖଲୋକକୁ ଜାଣିଥିବେ, କିନ୍ତୁ ପୋଲିସ୍‌ ଜାଣି ନ ଥିବାର ଅଭିନୟ କରୁଛି। ଅଶୋକ-ସୌଦାମିନୀକୁ କେହି କୁଆଡ଼େ ଅପହରଣ କରିନେଇଯାଇଥିଲେ ଆମେ କେହି ଜାଣି ନ ଥାନ୍ତେ। ଅଣ୍ଡା ଫୋପଡ଼ାକୁ ମାରଣାସ୍ତ୍ର ରୂପ ଦେଇପାରୁଥିବା ପୋଲିସ୍‌ ଚାହିଁଥିଲେ ପରୀର ହତ୍ୟାକାଣ୍ଡର ଆସାମୀ ଗିରଫ ହୋଇସାରନ୍ତାଣି। ପୁଣି ଅପମୃତ୍ୟୁ ବୋଲି ମାନିବାକୁ ମୃତାର ମାଆବାପାଙ୍କୁ ତୃତୀୟପକ୍ଷ ଜରିଆରେ ଭୟ ଦେଖାଉଛନ୍ତି। ବିଚାରପତି ତ ଜନରବ ଉପରେ ରାୟ ଦେବେ ନାହିଁ, ପୋଲିସର ତଥ୍ୟ ଓ ପ୍ରମାଣ ସଂଗ୍ରହ ଉପରେ ବିଚାରପତି ତାଙ୍କ ରାୟ ଦେଇଥାନ୍ତି। ଯଦି ପୋଲିସ ଜାଣିଶୁଣି ବା କାହାର ପ୍ରଭାବରେ ତଥ୍ୟ ଓ ପ୍ରମାଣ ତେଡାମେଡା କରନ୍ତି ତେବେ ବିଚାରପତିଙ୍କ ରାୟରେ ନିଃସନ୍ଦେହ-ପ୍ରମାଣ-ଅଭାବରୁ ଦୋଷୀ ଖଲାସ ହୋଇଯିବ।
ଲୋକ ଆତ୍ମହତ୍ୟା ସ୍ତରକୁ ବା ସରକାରୀ ଅଫିସକୁ ଜାଳିଦେବା ସ୍ତରକୁ ଆସେ କାହିଁକି? ତାହାର ଅଭିଯୋଗ ଶୁଣାଯାଉ ନାହିଁ ବୋଲି ତ? ତାହାର ଜୀବନ ବା ଜୀବିକା ବା ଉଭୟ ବିପନ୍ନ ହୋଇଛି ବୋଲି ତ? ସେ ଆଇନ ଲାଗୁକରୁଥିବା (ଏନ୍‌ଫୋର୍ସମେଣ୍ଟ) ଅଧିକାରୀମାନଙ୍କଠାରୁ ନ୍ୟାୟ ପାଉନାହିଁ ବୋଲି ତ? କର୍ମଚାରୀମାନେ ଲାଞ୍ଚ ପାଇଁ ବା ମନ୍ତ୍ରୀଙ୍କ ପ୍ରଭାବରେ ନାଗରିକକୁ ଉପେକ୍ଷା କରିଥାଏ। ତାହା ନଥିର ବିଳମ୍ବ ହେବାରୁ ଜଣାପଡ଼େ। ଆଗେ ଓଡ଼ିଶା ରେକର୍ଡ ମାନୁଆଲରେ କିଏ କେତେ ଦିନ ଭିତରେ କାମ ସାରିବ ତାହାର ସମୟ ନିର୍ଘଣ୍ଟ ଥିଲା। ଡେରି ହେଲେ ନାଲି କାଳିରେ କିରାଣି ଲେଖୁଥିଲା। ଅଧୀକ୍ଷଣ (ସୁପରିଣ୍ଟେଣ୍ଡିଂ) ଅଧିକାରୀ ସେହି ଲେଖା ବଳରେ ବିଳମ୍ବ କରୁଥିବା କର୍ମଚାରୀଙ୍କ ଉପରେ ଦଣ୍ଡ ବିଧାନ କରିବାର ଥିଲା। ଏବେ ସେବା ଅଧିକାର ଆଇନ ପ୍ରତି କାମର ସମୟସୀମା ଧାଯର୍‌ୟ କରିଛି, ପୋଲିସ୍‌ର ବି ା କିନ୍ତୁ ବିଳମ୍ବ (ଲାଞ୍ଚ ପାଇଁ ତ ବିଳମ୍ବ କରାଯାଏ) କରୁଥିବା କର୍ମଚାରୀକୁ ଅଧୀକ୍ଷକ ଅଧିକାରୀ ବା ବିଳମ୍ବ କରୁଥିବା ମନ୍ତ୍ରୀଙ୍କୁ କେବେ ଦଣ୍ଡ ମିଳୁଛିି କି? ଏ ସବୁର କାରଣ କର୍ମଚାରୀମାନଙ୍କ କାମର ମନିଟରିଂ ହେଉ ନାହିଁ। ପଇସା ଦେଇପାରୁ ନ ଥିବା ମହିଳାକୁ ଦେହ ଦେ ବୋଲି ତ ସରପଞ୍ଚ କହିପାରୁଛନ୍ତି, କାରଣ ଉପଭୋକ୍ତାମାନେ କାହିଁକି ଘର ପାଉ ନାହାନ୍ତି ତାହାର ମନିଟରିଂ ହେଉନାହିଁ କି ବିଳମ୍ବ କରୁଥିବା ବିଡିଓଙ୍କ ଉପରେ ଦଣ୍ଡ ଦିଆଯାଉନାହିଁ ା
ଲାଞ୍ଚ ନ ମିଳିଲେ ଡାକ୍ତର କହିବେ ଭେଣ୍ଟିଲେଟର ଚଳାଇବାକୁ ଲୋକ ନାହିଁ, କିରାଣି କହିବେ ସର୍ଭର କାମ କରୁନାହିଁ ା କିରାଣି ତାଚ୍ଛଲ୍ୟ କରି କହନ୍ତିି – ସରକାର ପରା ଲାଞ୍ଚ ଏଡ଼ାଇବା ପାଇଁ ମଣିଷ ବଦଳରେ ମେଶିନ୍‌ କାମ କରିବ କହିଛନ୍ତି ା କିନ୍ତୁ ମେଶିନ୍‌ଟା ମଣିଷ ଚଳାଉଛି ବୋଲି ସରକାର ଭୁଲିଯାଉଛନ୍ତି ା
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri