ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି।
ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା (OSCS) କ୍ୟାଡରର ପୁନର୍ଗଠନ ପରେ ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ସହ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ ଏବଂ ଉପନିର୍ଦ୍ଦେଶକ ପଦ ୨୯ରୁ ୩୨କୁ ବୃଦ୍ଧି ପାଇବ। ଏନେଇ କ୍ୟାବିନେଟ୍ରେ ମୋହର ବାଜିଛି। ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦ ସହ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)’କୁ ଅନୁମୋଦନ ମିଳିଛି। ଓଡ଼ିଶା କୃଷି ସେବା କ୍ୟାଡର ପୁନର୍ଗଠନରେ ବିଭିନ୍ନ ପଦୋନ୍ନତିସ୍ତରରେ ପଦବୀ ବୃଦ୍ଧି, ‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ସହ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ର କାର୍ଯ୍ୟକାରିତାକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ‘ବସୁଧା’ ଯୋଜନାରେ ୨୦୨୬-୨୭ରୁ ୨୦୨୮-୨୯ ପର୍ଯ୍ୟନ୍ତ ୫,୦୪୫ କୋଟି ଟଙ୍କା ରାଜ୍ୟ ପାଣ୍ଠି ବ୍ୟୟ ହେବ। ଭବାନୀପାଟଣାମୁନିଗୁଡ଼ା ରାସ୍ତାକୁ ୨ ଲେନ୍କୁ ୪ ଲେନ୍ କରିବାକୁ ୧୯୬.୧୮ କୋଟି ପ୍ରକଳ୍ପକୁ ଅନୁମୋଦନ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।