ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ଦିଆଯାଇଛି। କୋରେଇ ଥାନା ଅନ୍ତର୍ଗତ ମୀନାବଜାର ଛକ ନିକଟରେ ଶନିବାର ପୂର୍ୱାହ୍ନ ସାଢ଼େ ୧୧ଟାରେ ଏହି ଘଟଣା ଘଟିଛି। ତହସିଲଦାର ପଣ୍ଡାଙ୍କୁ ମାରିଦେବାକୁ ମାଫିଆମାନେ ଉଦ୍ୟମ କରିଛନ୍ତି। ତେବେ ଟ୍ରାକ୍ଟରଟି ଗୋଡ଼ ଉପରେ ଚଢ଼ିଯାଇଥିବାରୁ ତହସିଲଦାର ପଣ୍ଡା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଯାଜପୁର ଜିଲାରେ ମାଟି, ବାଲି, ମୋରମ୍‌ ଆଦି ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ କରିଆସୁଥିବା ମାଫିଆଙ୍କ ଦୌରାତ୍ମ୍ୟକୁ ପ୍ରମାଣିତ କରିଛି। ଏହି ମାଫିଆମାନଙ୍କ ପଛରେ ପ୍ରଭାବଶାଳୀ ଲୋକଙ୍କ ସମେତ କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଛି। ତେବେ ଯେଉଁମାନେ ଏହି କାରବାରକୁ ରୋକିବାକୁ ଚେଷ୍ଟା କରୁଛନ୍ତି କିମ୍ୱା ବିରୋଧ କରୁଛନ୍ତି, ସେମାନଙ୍କୁ ହତ୍ୟା କରିବାକୁ ମାଫିଆମାନେ ପଛଘୁଞ୍ଚା ଦେଉନାହାନ୍ତି। ୨୦୧୮ ଫେବୃଆରୀ ୪ ମଧ୍ୟରାତ୍ରରେ କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ଓଭରଲୋଡିଂ ଓ ଟ୍ରାଞ୍ଜିଟ୍‌ ପାସ୍‌ ଯାଞ୍ଚ କରୁଥିବା ଯାଜପୁର ଆର୍‌ଟିଓ ମନୋଜ କୁମାର ବେହେରାଙ୍କ ଉପରକୁ ଏକ ଚିପ୍ସ ବୋଝେଇ ହାଇଓ୍ୱା ଚଢ଼ାଇ ଦିଆଯାଇଥିଲା। ସେଥିରେ ଆର୍‌ଟିଓଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୬ ତାରିଖ ବିଳମ୍ୱିତ ରାତିରେ ଯାଜପୁର ଜୁନିୟର ଖଣି ଅଧିକାରୀ ବିଶ୍ୱଜିତ୍‌ ସ୍ୱାଇଁ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରେ ବାଲି ବୋଝେଇ ଗାଡ଼ି ଯାଞ୍ଚ କରୁଥିବା ସମୟରେ ତାଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।

କୋରେଇ ଥାନାଠାରୁ ପ୍ରାୟ ୧ କିଲୋମିଟର ଦୂର ମୀନାବଜାର ଛକ ନିକଟରୁ ବେଆଇନ ମାଟି ଓ ବାଲି ଚୋରାଚାଲାଣ ହେଉଥିବା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ଖବର ପାଇଥିଲେ। ଏହାପରେ ସେ ଟିମ୍‌ ସହ ଚଢ଼ାଉ କରିବାକୁ ଶନିବାର ପୂର୍ୱାହ୍ନରେ ସେଠାକୁ ଯାଇଥିଲେ। ଏହି ସମୟରେ ମାଟିଲୋଡ୍‌ କରୁଥିବା ମାଫିଆମାନେ ଛତ୍ରଭଙ୍ଗ ଦେଇଥିଲେ। ସେହିପରି ମାଟି ବୋଝେଇ ଟ୍ରାକ୍ଟର ଓ ଜେସିବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ସମୟରେ ତହସିଲଦାର ପଣ୍ଡା ମୀନାବଜାର ଛକ ନିକଟରେ ଉକ୍ତ ଟ୍ରାକ୍ଟରକୁ ଅଟକାଇଥିଲେ। ଏହି ଅତର୍କିତ ଚଢ଼ାଉର ଜବାବ ଦେବାକୁ ଯାଇ ସମ୍ପୃକ୍ତ ଡ୍ରାଇଭର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଏହି ସମୟରେ ତହସିଲଦାର ତଳେ ପଡିଯିବାରୁ ତାଙ୍କ ଗୋଡ଼ ଉପରେ ଟ୍ରାକ୍ଟର ପଛ ଚକା ଚଢ଼ିଯାଇଥିଲା। ଏହାପରେ ଟ୍ରାକ୍ଟରଟି ସେଠାରୁ ଫେରାର ହୋଇଯାଇଥିଲା, ଯାହାର ନମ୍ୱର ଜଣାପଡ଼ିନାହିଁ। ତହସିଲଦାର ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଘଟଣାସ୍ଥଳରେ ଥିବା ତହସିଲଦାରଙ୍କ ସହକର୍ମୀ ଇତିଶ୍ରୀ ସେନାପତି କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି କୋରେଇ ଥାନାରେ ୧୫୧/୨୦୨୬ ନମ୍ୱର ଏକ ମାମଲା ରୁଜୁ ହୋଇଛି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ଉକ୍ତ ଟ୍ରାକ୍ଟର ସମ୍ପର୍କରେ ପୋଲିସ ଟେର୍‌ ପାଇ ନ ଥିଲାବେଳେ ସନ୍ଦେହରେ ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେଶିନକୁ ଜବତ କରାଯାଇଛି। ଏହାସହ ୪ଜଣ ଟ୍ରାକ୍ଟର ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରାକେଶ ତ୍ରିପାଠୀ କହିଛନ୍ତି ଯେ, ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

ଯାଜପୁର ରୋଡ୍‌ ଏସ୍‌ଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଉକ୍ତ ଘଟଣାରେ ତହସିଲଦାର ପଣ୍ଡାଙ୍କ ଗୋଡ଼ ପ୍ୟାକ୍ଚର ହୋଇଛି। ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଘଟଣାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯାଜପୁର ଜିଲାରେ ବେଆଇନ ଭାବେ ବାଲି, ମାଟି, ମୋରମ ଉତ୍ତୋଳନ ଓ ଚାଲାଣ ସୀମା ଲଂଘିଛି। ଏଥିରେ ଯିଏ ପ୍ରତିବାଦ କରିବ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଏବଂ ଧମକଦେବା ନିତିଦିନିଆ ଘଟଣା ହେବାକୁ ଯାଉଛି। ଉଦାହରଣ ଭାବେ ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁର ପଞ୍ଚାୟତ ଅଧୀନ ଖରସ୍ରୋତା ନଦୀର ମନେଇ ସରକାରୀ ବାଲିଘାଟରେ ୨୪ା୩ା୨୦୨୨ରେ ବୋମାମାଡ଼ ହୋଇଥିଲା। ଏଥିରେ ସେହି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁରେନ୍ଦ୍ର କୁମାର ଦାଶଙ୍କ ମୃତ୍ୟୁ ହୋଇଥିଲା। ଏବେ ଯେଭଳି ମାଜିଷ୍ଟ୍ରେଟ୍‌ କ୍ଷମତାଧାରୀ ତହସିଲଦାରଙ୍କୁ ଆକ୍ରମଣ ହେଉଛି, ସେଥିରୁ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ସ୍ପଷ୍ଟ ବୁଝାପଡ଼ୁଛି ।

Share