‘ଭିଡିଓ କ୍ଲିପ୍‌ ବିକ୍ରି ନେଇ ତଦନ୍ତ କରାଯିବ’

ପୁରୀ ଅଫିସ, ୨୧ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଏହି କ୍ଲିପ୍‌ ଦେବା ପାଇଁ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବର ଅନିମେଷ ଚକ୍ରବର୍ତ୍ତୀଙ୍କୁ ଗତ ୧୮ ତାରିଖରେ ପୁରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ପଶ୍ଚିମବଙ୍ଗର ନିମ୍‌ତା ଥାନା ଅଞ୍ଚଳରୁ ଗିରଫ କରି ବାରାକପୁର କୋର୍ଟରେ ହାଜର କରାଇଥିଲେ। ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପୁରୀ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ସେ ବ୍ୟବହାର କରିଥିବା ଡ୍ରୋନ୍‌ ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। ସେ କେଉଁମାନଙ୍କୁ ଭିଡିଓ କ୍ଲିପ୍‌ ବିକ୍ରି ପାଇଁ ଯୋଗାଯୋଗ କରିଥିଲେ ସେ ନେଇ ତଦନ୍ତ କରାଯିବ ବୋଲି ଶୁକ୍ରବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି କେ.କେ. ହରିପ୍ରସାଦ ସୂଚନା ଦେଇଛନ୍ତି।
ସିଟି ଡିଏସ୍‌ପି ହରିପ୍ରସାଦ କହିଛନ୍ତି, ଗତବର୍ଷ ଡିସେମ୍ବରରେ ଶ୍ରୀମନ୍ଦିର ନିଷେଧାଞ୍ଚଳ ତଥା ନୋ ଫ୍ଲାଇଂ ଜୋନ୍‌ରେ ବିନାନୁମତିରେ ଅନିମେଷ ଡ୍ରୋନ ଉଡ଼ାଇ ଭିଡିଓ ଭାଇରାଲ କରିଥିବା ଜଣାପଡ଼ିଥିଲା। ଏଥିସହ ସେ ଓଡ଼ିଶା ପୋଲିସର ଲୋଗୋ ବ୍ୟବହାର କରିଥିଲେ। ସେ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢ଼ାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ଼ କରିଥିଲେ। ଏହାକୁ ସାରା ବିଶ୍ୱବାସୀ ଦେଖିଥିଲେ। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗଯୋଗ କରିବାରୁ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବା ପାଇଁ ୨୦ ହଜାର ଟଙ୍କା ଦାବି କରାଯାଉଥିବା ଜଣାପଡ଼ିଥିଲା। ଏନେଇ ଡିସେମ୍ବର ୪ରେ ପୋଲିସ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ମାମଲା (ନଂ.୧୫୦/୨୨) ରୁଜୁ କରାଯାଇଥିଲା। ତଦନ୍ତ ଲାଗି ଅନିମେଷଙ୍କୁ ଥାନାରେ ହାଜର ହେବାକୁ ୧୬୦ ସିଆର୍‌ପିସିରେ ନୋଟିସ ପଠାଯାଇଥିଲା। ତେବେ ସେ ଥାନାରେ ହାଜର ନ ହୋଇ ଗିରଫଦାରି ଭୟରେ ସ୍ଥାନ ବଦଳାଇବା ସହ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ପୁରୀ ଜେଏମ୍‌ଏଫ୍‌ସି କୋର୍ଟରେ ଏନ୍‌ବିଡବ୍ଲ୍ୟୁ ନେଇ ଆବେଦନ ପରେ ଏସ୍‌ପି କନଓ୍ବର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ। ଶେଷରେ ଅନିମେଷଙ୍କୁ ପଶ୍ଚିମବଙ୍ଗର ନିମତା ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା। ଡିଜିସିଏ ନିୟମ ଅନୁଯାୟୀ, ଡ୍ରୋନ୍‌ ଲାଇସେନ୍ସ ପାଇଁ ଅନୁମତି ନେବା ସହ ଫ୍ଲାଇଂ ଲାଗି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ରେଡ୍‌, ୟେଲୋ ଓ ଗ୍ରୀନ୍‌ ଜୋନରେ ବିଭକ୍ତ କରାଯାଇଥାଏ। ଶ୍ରୀମନ୍ଦିର ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅନିମେଷ ବେଆଇନ ଭାବେ ଡ୍ରୋନ୍‌ ଉଡ଼ାଇଥିବାରୁ ତାଙ୍କ ବିରୋଧରେ ଆଇପିସିର ଦଫା ୪୬୮, ୪୨୦, ୫୧୧, ୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୧୯୫୪ ଏବଂ ୩୦(ଏ), ୪ (ସି)ରେ ଆପରାଧିକ ମାମଲା ରୁଜୁ କରାଯାଇଛି। ଅନିମେଷଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।