୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନକୁ ବେଶ୍‌ ସଫଳତା ମିଳିଛି। ଏହା ଏବେ ଜାତୀୟ ମଡେଲରେ ପରିଣତ ହୋଇଛି। ଦେଶର ବିଭିନ୍ନ ଭାଗରେ ଏହାକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ଜଳ ଏକାଡେମୀକୁ ଜାତୀୟ ସ୍ତରରେ ଏକ ଅଗ୍ରଣୀ କାପାସିଟି ବିଲ୍ଡିଂ ଇନ୍‌ଷ୍ଟିଚ୍ୟୁଟ୍‌ ଭାବେ ଏମ୍‌ପ୍ୟାନେଲ୍‌ଡ୍‌ କରାଯାଇଛି। ୱାଟ୍‌କୋର ମୁଖ୍ୟ ନିର୍ବାହୀ ଜାତୀୟ ଟାସ୍କଫୋର୍ସ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ବୁଧବାର କନର୍ର୍ାଟକର ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍‌ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରୁ ଏହା ଜଣାପଡ଼ିଛି। କର୍ନାଟକର ନଗର ଉନ୍ନୟନ ସଚିବ ଅଜୟ ନାଗଭୂଷଣଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ୍‌ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥିଭାଥାନନ୍‌ଙ୍କ ସମେତ ଓଡ଼ିଶା ୱାଟର ଏକାଡେମୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ମିଶନର ବିଭିନ୍ନ ଦିଗ ସମ୍ପର୍କରେ କର୍ନାଟକର ଟିମ୍‌କୁ ଅବଗତ କରାଯାଇଛି। ଏହି ଟିମ୍‌ ପୁରୀ ଏବଂ ଭୁବନେଶ୍ୱରରେ କ୍ଷେତ୍ର ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକାରିତା ଦେଖିଛନ୍ତି। ଏହି ଟିମ୍‌ ସଦସ୍ୟ ସିଧାସଳଖ ଟ୍ୟାପ୍‌ରୁ ପାଣି ପିଇଥିଲେ। ଏହାପରେ ସେମାନେ ଏହି ମିଶନ ଉପରେ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ମିଶନ ଜରିଆରେ ପୁରୀର ପ୍ରାୟ ୨.୫ ଲକ୍ଷ ଲୋକ ଟ୍ୟାପ୍‌ରୁ ସିଧାସଳଖ ପାଣି ପିଇବା ସହ ବିନା ବିଶୁଦ୍ଧୀକରଣରେ ରୋଷେଇରେ ବ୍ୟବହାର କରୁଛନ୍ତି। ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ଏହା ଆରମ୍ଭ ହୋଇଛି। ୯୮ ଜୋନ୍‌ରେ ବିଭକ୍ତ ହୋଇଥିବା ଭୁବନେଶ୍ୱରର ୧୦ଟି ଜୋନ୍‌ରେ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଏହି ମିଶନରେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି କଟକର ୨ଟି ଜୋନ୍‌ରେ ଏହି କାର୍ଯ୍ୟ ସମାପ୍ତ ହୋଇଛି। ୨୦୨୩ ଅଗଷ୍ଟ ସୁଦ୍ଧା ବ୍ରହ୍ମପୁରରେ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟ ଜାରି ରହିଛି। ଏହାଛଡ଼ା ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି।