Categories: ଖେଳ

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ: ସିନ୍ଧୁ ୧୫କୁ ଖସିଲେ

ନୂଆଦିଲ୍ଲୀ, ୫ା୭(ପି.ଟି.): ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ୩ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ସିନ୍ଧୁ ଚଳିତବର୍ଷ ଏପ୍ରିଲରେ ଏଲିଟ୍‌ ଟପ୍‌ ୧୦ରୁ ବାଦ୍‌ ପଡ଼ିଛନ୍ତି। ବର୍ତ୍ତମାନ ସେ ୧୩ଟି ଟୁର୍ନାମେଣ୍ଟରୁ ୫୧,୦୭୦ ପଏଣ୍ଟ ଅର୍ଜନ କରିଛନ୍ତି। ଗତ ୫ ମାସ ଆଘାତଜନିତ ସମସ୍ୟାରେ ରହି ଫେରିଥିବା ୨୭ ବର୍ଷୀୟା ସିନ୍ଧୁ ଚଳିତ ସିଜନରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି। ଏହି ସପ୍ତାହରେ ସେ କାନାଡା ଓପନ ସୁପର ୫୦୦ରେ ଭାଗ ନେବେ। ଏହି ସିଜନରେ ସେ ମାଡ୍ରିଡ୍‌ ସ୍ପେନ ମାଷ୍ଟର୍ସ ସୁପର ୩୦୦ ଫାଇନାଲରେ ପ୍ରବେଶ କରିଥିବା ବେଳେ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର ସେମିଫାଇନାଲକୁ ଉନ୍ନୀତ ହୋଇପାରିଥିଲେ। ବର୍ଷ ଆରମ୍ଭରେ କିନ୍ତୁ ତାଙ୍କୁ ବହୁ ପ୍ରତିଯୋଗିତାରେ ପ୍ରଥମରୁ ବିଦାୟ ନେବାକୁ ପଡ଼ିଛି। ଭାରତୀୟ ପୁରୁଷ ଡବଲ୍ସ ଶୀର୍ଷ ର଼୍ୟାଙ୍କିଙ୍ଗ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କୁ ବିଶ୍ୱର ୩ ନମ୍ବର ଯୋଡ଼ି ହୋଇଛନ୍ତି। ୮ମ ସ୍ଥାନ ଅଧିକାର କରିଥିବା ଏଚ୍‌.ଏସ୍‌. ପ୍ରଣୟ ହେଉଛନ୍ତି ପୁରୁଷ ସିଙ୍ଗଲ୍ସରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ଲକ୍ଷ୍ୟ ସେନ ଓ କିଡାମ୍ବି ଶ୍ରୀକାନ୍ତ ଯଥାକ୍ରମେ ୧୯ତମ ଓ ୨୦ତମ ସ୍ଥାନରେ ଅଛନ୍ତି। ମହିଳା ଡବଲ୍ସରେ ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଗୋଟିଏ ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ଅଛନ୍ତି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ପୁରୁଷ ଡବଲ୍ସ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କାପିଲା ୨୬ତମ ସ୍ଥାନରେ ରହିଥିବା ବେଳେ ରୋହଣ କାପୁର ଓ ଏନ୍‌. ସିକ୍କି ରେଡ୍ଡୀ ୩୩ତମ ସ୍ଥାନରେ ଅଛନ୍ତି।

Share