Categories: ଖେଳ

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଲିଡ୍ସ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏଠାରେ ସ୍ବିଙ୍ଗ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ବିରାଟବାହିନୀ ୬୧.୩ ଓଭରରେ ୧୯୧ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଥିଲେ॥ କ୍ୟାପଟେନ ବିରାଟ କୋହଲି ଭାରତ ପାଇଁ ୫୦ରନର ଇନିଂସ ଖେଳିଥିଲେ। କିନ୍ତୁ ତାଙ୍କ ଅପେକ୍ଷା ଅଧିକ ରନ ଆଘାତ ପରେ ଦଳକୁ ଫେରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କରିଥିଲେ। ଶାର୍ଦ୍ଦୁଳ ମାତ୍ର ୩୬ ବଲରେ ୫୭ ରନ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ୩ ଛକା ମାରିଥିଲେ। ଅର୍ଥାତ୍‌ କେବଳ ଚୌକା, ଛକାରେ ୪୬ ରନ ସ୍କୋର କରାଯାଇଥିଲା। ରବିନ୍ସସନଙ୍କ ବଲରୁ ଛକା ମାରି ଶାର୍ଦୁଳ ନିଜର ୩୧ ବଲ୍‌ରେ ୫୦ ରନ ପୂରଣ କରିଥିଲେ। ଇଂଲଣ୍ଡରେ ଏହା ହେଉଛି ଦ୍ରୁତତମ ଟେଷ୍ଟ ପଚାଶ। ଶାର୍ଦ୍ଦୁଳଙ୍କ ପୂର୍ବରୁ ଏହି ରେକର୍ଡ ଇୟାନ ବୋଥାମଙ୍କ ନାମରେ ଥିଲ। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। କୌତୁହଳର ବିଷୟ ହେଉଛି ଉଭୟ ଅର୍ଦ୍ଧଶତକ ଓଭାଲରେ ଆସିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ଟେଷ୍ଟରେ ଭାରତୀୟ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କପିଲ ଦେବଙ୍କ ନାମରେ ରହିଛି।
୧୯୮୨ ମସିହାରେ ପାକିସ୍ତାନ ବିପକ୍ଷରେ ୩୦ଟି ବଲରେ କପିଳ ଅର୍ଦ୍ଧଶତକ କରିଥିଲେ। ଏହାପୂର୍ବରୁ ୧୯୭୮ ମସିହାରେ କପିଳ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ୩୩ ଟି ବଲରେ ଅର୍ଦ୍ଧଶତକ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ବାଗ ୨୦୦୮ ରେ ଇଂଲଣ୍ଡ ବିପକ୍ଷରେ ୩୨ ବଲରେ ୫୦ ରନ ପୂରଣ କରିଥିଲେ।
୧୫୮.୩୩ଷ୍ଟ୍ରାଇକ ହାରରେ ଶାର୍ଦ୍ଦୁଳ ୫୭ ରନ ସଂଗ୍ରହ କରିଥିଲେ। ଗୋଟିଏ ଟେଷ୍ଟ ଇନିଂସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ଷ୍ଟ୍ରାଇକ ହାର। କପିଳ ଦେବ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୧୯୮୨ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୬୧.୮୧ ହାରରେ ଅର୍ଦ୍ଧଶତକ ହାସଲ କରିଥିଲେ। ହରଭଜନ ସିଂ ତୃତୀୟ ସ୍ଥାନରେ ଅଛନ୍ତି। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ୧୪୫.୯୪ ହାରରେ ନିଜର ପଚାଶଟି ପୂରଣ କରିଥିଲେ। ଏହି ତାଲିକାରେ ମହମ୍ମଦ ଆଜହରୁଦ୍ଦିନ (୧୪୧.୫୫), କପିଳ ଦେବ (୧୩୭.୭୩) ଚତୁର୍ଥ ସ୍ଥାନରେ ଅଛନ୍ତି।

Share