Categories: ଖେଳ

ମାତ୍ର ଦେଢ ଦିନରେ କେପ୍‌ଟାଉନ୍‌ ଟେଷ୍ଟ ଜିତିଲା ଭାରତ

ନୂଆଦିଲ୍ଲୀ,୪।୧: ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍‌ରାଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମାତ୍ର ଦେଢ ଦିନରେ ଶେଷ ହୋଇଥିଲା। ୩ ଜାନୁୟାରୀରୁ ଆରମ୍ଭ ହୋଇଥିବା ଟେଷ୍ଟ ୪ ଜାନୁଆରୀରେ ଅର୍ଥାତ୍‌ ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଶେଷ ହୋଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ମ୍ୟାଚ ଜିତିବା ପାଇଁ ୭୯ ରନ ସଂଗ୍ରହ କରିଥିଲା, ଯାହା ସେମାନେ ୧୨ ଓଭରରେ ୩ ଉଇକେଟ ହରାଇ ହାସଲ କରିଥିଲେ। ଭାରତ ପାଇଁ ସିରାଜ ପ୍ରଥମ ଇନିଂସରେ ୬ ଉଇକେଟ ନେଇଥିବା ବେଳେ ବୁମରା ଦ୍ୱିତୀୟ ଇନିଂସରେ ୬ ଉଇକେଟ ନେଇଥିଲେ।
ପୂରା ମ୍ୟାଚରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମେ ଭାରତୀୟ ଦ୍ରୁତ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପରେ ଦ୍ୱିତୀୟ ଇନିଂସରେ ଆଫ୍ରିକୀୟ ପେସର୍‌ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ନେବାକୁ ଦେଇ ନ ଥିଲେ। ଆୟୋଜକ ଆଫ୍ରିକା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭାରତୀୟ ପେସର ମହମ୍ମଦ ସିରାଜଙ୍କ ପାଇଁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା। ପ୍ରଥମ ଇନିଂସରେ ସିରାଜ ୬ଟି ଉଇକେଟ ନେଇଥିଲେ। ୫୫ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍‌ ହୋଇଯାଇଥିଲା। ସିରାଜଙ୍କ ବ୍ୟତୀତ ଜସପ୍ରୀତ ବୁମ୍‌ରା ଏବଂ ମୁକେଶ ପ୍ରତ୍ୟେକ ଦୁଇଟି ଉଇକେଟ ନେଇଥିଲେ।
ତା’ପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଦିନରେ ୧୫୩ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ସମୟରେ ଆଫ୍ରିକା ପାଇଁ କାଗିସୋ ରାବାଡା, ନାନ୍ଦ୍ରେ ବର୍ଗର ଏବଂ ଲୁଙ୍ଗି ଏନଗିଡି ପ୍ରତ୍ୟେକ ୩ ଉଇକେଟ ନେଇଥିଲେ।
ଦ୍ୱିତୀୟ ଦିନରେ ଭାରତୀୟ ପେସର ଜସପ୍ରୀତ ବୁମ୍‌ରା ୬ଟି ଉଇକେଟ ନେଇ ୧୭୬ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍‌ ହୋଇଥିଲା। ବୁମରାଙ୍କ ବ୍ୟତୀତ ମୁକେଶ କୁମାର ୨ଟି ୱିକେଟ ନେଇଥିବା ବେଳେ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଦ୍ୱିତୀୟ ଇନିଂସରେ ଆଫ୍ରିକା ୧୭୬ ରନ ଅଲଆଉଟ ହେବାପରେ ଭାରତକୁ ୭୯ ରନ ଟାର୍ଗେଟ ଦେଇଥିଲା, ଯାହା ରୋହିତ ବ୍ରିଗେଡ ୧୨ ଓଭରରେ ହାସଲ କରି ଦ୍ୱିତୀୟ ଦିନ ଶେଷ ହେବା ପୂର୍ବରୁ ଜିତିଥିଲା। ଯଶାସ୍ବୀ ଜୟସ୍ବାଲ ଭାରତ ପାଇଁ ୨୮ ରନର ସବୁଠୁ ବଡ ଇନିଂସ ଖେଳିଥିଲେ।

 

 

Share