ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ମାଗିଥିଲେ ୩୦ ଲକ୍ଷ

ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀଶାଗର ଥାନା ଝାରପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ମୁଣ୍ଡ ଜାମିନ ମାଗିଥିଲେ। ହେଲେ କମିଶନରେଟ ପୋଲିସ ୩୬ ଘଣ୍ଟାର ଅପରେଶନ କରି ଶେଷରେ ୪ ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ଅପହୃତ୍ତ ଯୁବକ ଇଶାନ ଅଗ୍ରୱାଲଙ୍କୁ ଉଦ୍ଧାର କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ବିଜିପୁରର ରାମ କ୍ରିଷ୍ଣା(୨୭), ସମ୍ବଲପୁର ଜିଲା ରେଢ଼ାଖୋଲର ସନ୍ତୋଷ କୁମାର ରାଉତ(୨୨), ନୟାଗଡ଼ ଜିଲା ଗୌଡ଼ପୁଟର ଧନେଶ୍ୱର ପାତ୍ର(୨୪), ଭୁବନେଶ୍ୱର ଖଣ୍ଡଗିରି ଥାନା ରଘୁନାଥନଗରର ଏମ୍‌ଡି ମୁସ୍ତାକ ଅଲ୍ଲୀ(୨୫)। ଏମାନଙ୍କଠାରୁ ଅପହରଣରେ ବ୍ୟବହୃତ୍ତ ଏକ କାର୍‌, ୫ଟି ମୋବାଇଲ, ୨ଟି ଛୁରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ।

ଗିରଫ ଅଭିଯୁକ୍ତମାନେ ବୃତ୍ତିଗତ ଭାବେ ଏପରି ଅପହରଣ କରି ଟଙ୍କା ମାଗନ୍ତି। ଏହାପୂର୍ବରୁ ଏମାନେ ଭୁବନେଶ୍ୱରର ଜଣେ ବ୍ୟବସୟୀଙ୍କୁ ମଧ୍ୟ ବ୍ରହ୍ମପୁରରୁ ଅପହରଣ କରିଥିଲେ। ତାଙ୍କ ସହ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି। ଅନ୍ୟପକ୍ଷେ ଇଶାନଙ୍କୁ ଖୋର୍ଦ୍ଦା, ନୟାଗଡ଼, ଗଞ୍ଜାମ ଦେଇ ପାଖାପାଖି ୮୦୦ କିମି ବୁଲାଇଛନ୍ତି। ପୋଲିସକୁ ମଧ୍ୟ ଅପହର୍ତ୍ତାଙ୍କ ନିକଟରେ ପହଞ୍ଚିବାକୁ ୩୬ ଘଣ୍ଟା ମଧ୍ୟରେ ୭୦୦ କି.ମି. ବୁଲିବାକୁ ପଡ଼ିଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ କହିଛନ୍ତି।