ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଉଦ୍ଧାର ପରେ ବ୍ୟବସାୟୀ ନରେନ୍ଦ୍ର ସାହୁ ଓ ଅଟକ ଅଭିଯୁକ୍ତଙ୍କୁ ରବିବାର ବଲାଙ୍ଗୀର ଅଣାଯାଇଛି। ବଲାଙ୍ଗୀର ରିଜର୍ଭ ପୋଲିସ ବାରାକରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଉଛି।
ବଲାଙ୍ଗୀର ଏସ୍ପି ଅଭିଳାଷ ଜି ଓ ସଦର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି। ଜେରା ସମୟରେ ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ଅପହରଣ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବଲାଙ୍ଗୀରର ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରରୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଅଟକ ଅଭିଯୁକ୍ତ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ପୋଲିସର ସହଯୋଗରେ ବଲାଙ୍ଗୀର ପୋଲିସ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିବାରେ ସଫଳ ହୋଇଛି। ବ୍ୟବସାୟୀଙ୍କ ଉଦ୍ଧାର ପରେ ତାଙ୍କ ପରିବାର ଓ ବଲାଙ୍ଗୀରର ବ୍ୟବସାୟୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।
ଉଦ୍ଧାର ପରେ ବ୍ୟବସାୟୀ ନରେନ୍ଦ୍ରଙ୍କୁ ହସ୍ପିଟାଲରେ ଡାକ୍ତରୀମାଇନା କରାଯାଇଥିବା ଜଣାପଡ଼ିଛି। ଅପହରଣ ପଛରେ ‘ହନୁମାନ ପଇସା’ କାରବାରର ପ୍ରକୃତ ଭୂମିକା କ’ଣ ଏବଂ ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।