Categories: ବାଣିଜ୍ୟ

ଆଶାଠାରୁ ଅଧିକ ବ୍ୟବସାୟ

ଭୁବନେଶ୍ୱର,୨୪।୪: ଗତବର୍ଷର ଅକ୍ଷୟ ତୃତୀୟା ପରିସ୍ଥିତି ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟାର ପରିସ୍ଥିତି ବେଶ୍‌ ଭଲ ରହିଥିଲା। କାରଣ ଗତବର୍ଷ ଅକ୍ଷୟ ତୃତୀୟା ସମୟରେ କୋଭିଡ୍‌ ଭୟ ଗ୍ରାହକଙ୍କ ମନରେ ରହିଥିଲାବେଳେ ଚଳିତ ବର୍ଷ ତାହା ଆଉ ଦେଖିବାକୁ ମିଳି ନ ଥିଲା। ବିଶେଷକରି ଅକ୍ଷୟ ତୃତୀୟାର କାରବାରରେ ପାଗ ଏକପ୍ରକାର ଉତ୍ତମ ପରିବେଶ ସୃଷ୍ଟି କରିଥିଲା। ଫଳରେ ପୂର୍ବାହ୍ନ ୯ଟାରୁ ଧୀରେ ଧୀରେ ଗହଣା ଦୋକାନରେ ଭିଡ଼ ଲାଗିବା ସହ କାରବାର ଆରମ୍ଭ ହୋଇଥିଲା। ଏପରି କି ଚଳିତ ବର୍ଷର ସୁନାଦର ଗତବର୍ଷ ଅପେକ୍ଷା ୫୦୦୦ ଟଙ୍କାରୁ ଅଧିକ ରହିଥିଲେ ସୁଦ୍ଧା ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହାର ପ୍ରଭାବ କାରବାରରେ ପରିଲକ୍ଷିତ ହୋଇଥିଲା ବୋଲି ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟବାନ୍‌ ଅଳଙ୍କାର କିଣିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ପ୍ରତିଟି ଭାରତୀୟଙ୍କର ମୂଳବିଶ୍ୱାସ ରହିଛି।

ଫଳରେ ଦର ଉଚ୍ଚା ରହିଥିଲେ ସୁଦ୍ଧା ଅକ୍ଷୟ ତୃତୀୟାରେ ଭାରତୀୟ ଗ୍ରାହକ ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ସମେତ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ଓ ଗହଣା ଆଦି କିଣିବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ଗତ ସପ୍ତାହ ପୂର୍ବରୁ ବଜାରର ଭିଡ଼ ଓ କାରବାର ତାହା ଠିକ୍‌ ଭାବେ ଦର୍ଶାଉଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ଅଳଙ୍କାର ସମ୍ଭାର ଓ ନୂତନ କଲେକ୍ସନ ସହ ଆକର୍ଷଣୀୟ ଅଫର ଓ ଅନ୍ୟାନ୍ୟ ସୁବିଧା ଅକ୍ଷୟ ତୃତୀୟାର କାରବାରକୁ ଦ୍ୱିଗୁଣିତ କରିଦେଇଥିଲା। ଏପରି କି ଅକ୍ଷୟ ତୃତୀୟା ସାଙ୍ଗକୁ ଆଗାମୀ ବିବାହ ଋତୁ ପାଇଁ ମଧ୍ୟ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଭଲ ବ୍ୟବସାୟ ଆଶାରେ ନୂତନ କଲେକ୍ସନ ଓ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ଲାଗି ଉପଲବ୍ଧ କରାଇଛନ୍ତି।

ବିଶେଷକରି ବ୍ୟବସାୟୀମାନେ ଉଭୟ ଅକ୍ଷୟ ତୃତୀୟା ଓ ବିବାହ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ବଜାରରେ ରବିବାର ୨୨ ଓ ୨୪ କ୍ୟାରେଟ୍‌ ସୁନା ଯଥାକ୍ରମେ ୫୫,୦୦୦ ଓ ୬୦,୦୦୦ ଟଙ୍କା ମଧ୍ୟରେ କାରବାର ହୋଇଥିଲା। ଅନ୍ୟପକ୍ଷେ ରବିବାର ଛୁଟିଦିନ ଥିବାରୁ ନୂଆଦିଲ୍ଲୀ ବଜାରରେ ପ୍ରାୟ ସବୁବର୍ଗର ସୁନା ବ୍ୟବସାୟୀ ଆଶାନୁଯାୟୀ ବ୍ୟବସାୟ କରିଥିବା ଏବଂ ଗତବର୍ଷଠାରୁ ଭଲ ବ୍ୟବସାୟ ହୋଇଥିବା ଆସୋସିଏଶନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ବିଶେଷକରି ନୂଆଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, କେରଳ, ଚଣ୍ଡିଗଡ଼ ଏବଂ ରାୟପୁର ଭଳି ପ୍ରମୁଖ ସହରରେ ପ୍ରାୟ ୧୦ରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷେ ଓଡ଼ିଶା ବଜାରରେ ମଧ୍ୟ ଅକ୍ଷୟ ତୃତୀୟା କାରବାର ବେଶ୍‌ ଭଲ ଓ ପୂର୍ବ ବର୍ଷ ଅପକ୍ଷୋ ବହୁତ ଉତ୍ସାହ ରହିଛି ବୋଲି ରାଜ୍ୟର ପ୍ରମୁଖ ସୁନା ବ୍ୟବସାୟୀ ଓ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି।

ବିଶେଷକରି ଅକ୍ଷୟ ତୃତୀୟା ଓ ରବିବାର ପାଇଁ ବଜାରରେ ଭିଡ଼ ସକାଳଠାରୁ ସନ୍ଧ୍ୟାରେ ଅଧିକ ରହିଥିଲା। ଏପରି କି ଗତ କିଛିଦିନର ପାଣିପାଗ ଏବଂ ରବିବାର ପାଣିପାଗ ଯୋଗୁ ଓଡ଼ିଶା ବଜାରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିଭଳି ଭୁବନେଶ୍ୱରରେ ୧୨୦ରୁ ୧୫୦ କୋଟି ଟଙ୍କାର କାରବାର ହୋଇଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ଏବଂ ଅନୁଗୋଳ ସହରରେ ମଧ୍ୟ ପ୍ରାୟ ୧୦୦ କୋଟି ଟଙ୍କାର କାରବାର ହୋଇଥିବା ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନା ବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଗ୍ରାହକଙ୍କୁ ଦିଆଯାଉଥିଲା।

ଏପରି କି ଓଡ଼ିଶାର ସବୁବର୍ଗର ଜୁଏଲର୍ସ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ନୂତନ କଲେକ୍ସନ ଓ ଗହଣା ସମ୍ଭାର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲା। ରବିବାର ଭୁବନେଶ୍ୱର ବଜାରରେ ୧୦ ଗ୍ରାମ୍‌ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୫୬,୦୦୦ ଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୬୧, ୦୦୦ ଟଙ୍କା ରହିଥିଲା ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

 

Share