ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଏକା ସାଙ୍ଗରେ ଚାଲିଗଲା ପରିବାରର ୩ ଜୀବନ

ଗୋଲାମୁଣ୍ଡା,୪।୩: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡ଼ାଠାରେ ଗୁରୁବାର ବସ୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ ଡାକ୍ତରଖାନା ନିଆଯାଉଥିବା ସମୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ସ୍ଥାନୀୟ ତୁରେଛଡ଼ା ଗ୍ରାମର ଗୋଟିଏ ପରିବାରର ସ୍ତ୍ରୀ, ସ୍ବାମୀ ଓ ଝିଅ। ସେମାନେ ହେଲେ କୃଷ୍ଣଚନ୍ଦ୍ର ବାଗ, ସ୍ତ୍ରୀ ସୁକେସି ବାଗ ଓ ତାଙ୍କ ଝିଅ ସୁପ୍ରିଆ ବାଗ।
କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ଜୟ ଜଗନ୍ନାଥ ବସ୍‌ ଡୁଙ୍ଗୁରିଗୁଡ଼ା ନିକଟରେ ଏକ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଚାଳକ ଓ ତାଙ୍କ ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାଇକ୍‌ରେ ବସିଥିବା ତାଙ୍କ ଛୋଟ ଝିଅ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ତାକୁ ଧର୍ମଗଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଓ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରିଛି। ସୂଚନାଯୋଗ୍ୟ ଯେ, ଏକ ବାହାଘର ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।