ମାଓବାଦୀଙ୍କ ଶହୀଦ ସପ୍ତାହ: ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮।୭: ଗୁରୁବାରଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ମାଓବାଦୀମାନେ ସରକାରୀ ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ପୋଡି ଦେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଗୁରୁବାରଠାରୁ ୪ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ କରିଦିଆଯାଇଛି। ବ୍ରହ୍ମପୁର-ବାଲିମେଳା, ବ୍ରହ୍ମପୁର-ଉମରକୋଟ, ବ୍ରହ୍ମପୁର-ରାୟଗଡ଼ା ଓ ବ୍ରହ୍ମପୁର-ଭବାନୀପାଟଣା ବସ୍‌ ଉଭୟପଟୁ ବନ୍ଦ ରହିଛି। ଅନ୍ୟପକ୍ଷେ ଭଞ୍ଜନଗର- ମାଲକାନଗିରି ୨ଟି, ଭଞ୍ଜନଗର-ସୁନାବେଡ଼ା ଗୋଟିଏ, ଭଞ୍ଜନଗର-ଇନ୍ଦ୍ରାବତୀ ଗୋଟିଏ ଓ ଭୁବନେଶ୍ୱର-ମୋଟୁ, ଭୁବନେଶ୍ୱର-ମାଲକାନଗିରି ଓ କଟକ-ଚିତ୍ରକୋଣ୍ଡା ଯାଉଥିବା ଉଭୟପଟର ସମସ୍ତ ବସ୍‌ ଚଳାଚଳକୁ ଓଏସଆରଟିସି ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସହୀଦ ସପ୍ତାହକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ଗୁଡ଼ିକରେ ଯାତ୍ରୀ ଯାତାୟତ କରୁ ନ ଥିବାରୁ ବସ୍‌ ଚଳାଚନ ବନ୍ଦ ରହିଛି ବୋଲି ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଟୁଟୁ ପଟ୍ଟନାୟକ ପ୍ରକାଶ କହିଛନ୍ତି। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ମାଲିକଙ୍କୁ ବସ୍‌ ଚଳାଚଳ ବନ୍ଦ ନ କରିବାକୁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ତଥାପି ସରକାରୀ ବସ୍‌ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ହଇରାଣ ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ୨୦୦୦ରେ ମାଓବାଦୀ ସଂଗଠନ ପକ୍ଷରୁ ପିପୁଲ ଲିବେରେଶନ ଗରିଲା ଆର୍ମ (ପିଏଲ୍‌ଓ) ସ୍ଥାପନ କରାଯାଇଥିଲା। ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲ୍‌ଓ ସପ୍ତାହ ଡ଼ାକରା ଦେଉଛନ୍ତି । ସପ୍ତାହ ପାଳନ ବେଳେ ପୂର୍ବରୁ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏପରି କି ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରି ଦେଉଛନ୍ତି। ଶହୀଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ରାସ୍ତା କାଟିବା ସହ ଗଛ ପକାଇ ପ୍ରତିବାଦ କରିଥାନ୍ତି। ଫଳରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ ବନ୍ଦ ରହିଥାଏ ବୋଲି ଓଏସଆର୍‌ଟିସି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।