ଏସ୍‌ସିବିରେ ଫାଟିଲା ପାଣି ପାଇପ୍‌, ରୋଗୀ ହନ୍ତସନ୍ତ

କଟକ,୩ା୧୦ (କାର୍ତ୍ତିକ ସାହୁ):ଏସ୍‌ସିବି ମେଡିକାଲରେ ଦୁଇ ଦିନ ଧରି ବିଦ୍ୟୁତ୍‌ ବିଭ୍ରାଟର କଷ୍ଟ ରୋଗୀଙ୍କୁ ଅତିଷ୍ଠ କରିଛି। ପୁଣି ସୋମବାର ପାଣିପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମସ୍ୟା ରବିବାର ରାତିରୁ ଦେଖାଦେଇଥିଲା। ଏହାଦ୍ୱାରା ମେଡିକାଲର ବିଭିନ୍ନ ୱାର୍ଡକୁ ଜଳଯୋଗାଣ ବନ୍ଦ ହୋଇଯାଇଥିଲା। ଶୌଚାଳୟକୁ ପାଣି ନ ଆସିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଦୁର୍ଦ୍ଦଶା ବଢ଼ିଯାାଇଥିଲା। ତେବେ ସୋମବାର ସକାଳେ କେତେକ ୱାର୍ଡକୁ ଅଳ୍ପ ପରିମାଣର ପାଣି ଆସିଥିଲା। ତେବେ ତାହା ପର୍ଯ୍ୟାପ୍ତ ନ ଥିଲା। ନିତ୍ୟକର୍ମଠାରୁ ଆରମ୍ଭ କରି ପିଇବା ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାରେ ପଡ଼ିଥିଲେ। ଅନ୍ୟ ଉପାୟ ନପାଇ ମେଡିକାଲ ବାହାରେ ଥିବା ଶୌଚାଳୟକୁ ଯାଇ ରୋଗୀଙ୍କ ସମ୍ପର୍କୀୟମାନେ ଶୌଚ, ସ୍ନାନାଦି କାର୍ଯ୍ୟ କରିଥିଲେ। ସେହିପରି ବଜାରରୁ ପାଣି କିଣି ପିଉଥିବା କେତେକ ରୋଗୀ ସମ୍ପର୍କୀୟ କହିଛନ୍ତି। ଏନେଇ ୱାଟ୍‌କୋ ପକ୍ଷରୁ କୁହାଯାଇଛି, ମେଡିକାଲ ପରିସରରେ ଏକ ପାଣି ପାଇପ ଫାଟିଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ପାଇପ ମରାମତି କରାଯାଇ ଜଳଯୋଗାଣ ସ୍ବାଭାବିକ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟୁତ ବିଭ୍ରାଟ କାରଣରୁ ଶନିବାର ଓ ରବିବାର ଦୁଇ ଦିନ ଧରି ଏସ୍‌ସିବି ମେଡିକାଲରେ ରୋଗୀସେବା ପ୍ରଭାବିତ ହୋଇଥିଲା। ଶନିବାର ୮ ଘଣ୍ଟା ପ୍ରଭାବିତ ହୋଇଥିବା ବେଳେ ରବିବାର ନିଦାନ ବିଭାଗରେ ଦୀର୍ଘ ୬ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲା। ଏହାଦ୍ୱାରା ରୋଗୀଙ୍କ ରକ୍ତ ପରୀକ୍ଷା ଓ ସିଟି ସ୍କାନ ହୋଇପାରି ନଥିଲା। ଏହାଦ୍ୱାରା ଗୁରୁତର ରୋଗୀମାନେ ପ୍ରଭାବିତ ହୋଇଥିଲେ। ରୋଗୀଙ୍କ ଚିକିତ୍ସାରେ ବହୁ ସମସ୍ୟା ହୋଇଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କିୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ପୁଣି ଜଳଯୋଗାଣଜନିତ କଷ୍ଟ ରୋଗୀ ତଥା ସମ୍ପର୍କିୟମାନଙ୍କ ଦୁର୍ଦ୍ଦଶାକ ବଢ଼ାଇ ଦେଇଛି।