ମଶାଣି ସାଥୀ ସୁଶାନ୍ତ

ରୂପସା,୯ା୯: ପେସାରେ ଜଣେ ବାଇକ୍‌ ମେକାନିକ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି। ଶବଦାହ ଲାଗି କେହି ତାଙ୍କୁ ଡାକନ୍ତୁ ବା ନ ଡାକନ୍ତୁ ସେ ସବୁକାମ ଛାଡ଼ି ମଶାଣିରେ ପହଞ୍ଚିଯାନ୍ତି। ସେହି ସମୟରେ ଯାହା କିଛି ଖର୍ଚ୍ଚ ହୁଏ ଅକୁଣ୍ଠିତ ଚିତ୍ତରେ ସେ ନିଜ ପକେଟରୁ ଦେଇଥାନ୍ତି। ଏଥିରେ ତାଙ୍କୁ ତୃପ୍ତି ମିଳିଥାଏ ବୋଲି ସେ କହନ୍ତି। ଏଭଳି ଜଣେ ନିଆରା ଯୁବକ ହେଲେ ସୁଶାନ୍ତ ବେହେରା। ଡାକ ନାମ ବଳିଆ। ଘର ବାଲେଶ୍ୱର ସଦର ବ୍ଲକ ଆଙ୍କୋ ଗ୍ରାମରେ। ପର୍ଶୁରାମ ବେହେରାଙ୍କ ସାନପୁଅ ସୁଶାନ୍ତ ବିଏ ପାସ୍‌ କରିବା ପରେ ରୂପସାରେ ଏକ ଗ୍ୟାରେଜ କରି ମେକାନିକ ଭାବେ କାର୍ଯ୍ୟ କରୁଛନ୍ତି। ୩୦ବର୍ଷ ବୟସରେ ସେ ୧୦୦ରୁ ଅଧିକ ଶବ ଦାହ କରି ମହାନତାର ପରିଚୟ ଦେଇଛନ୍ତି। ୨୦୧୭ରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କ ଶବଦାହ ଦେଖିବା ପରେ ସେ ଅନ୍ୟମାନଙ୍କ ଶବଦାହ କରିବାକୁ ମନେ ମନେ ନିଷ୍ପତ୍ତି ନେଇଥିଲେ। ଜାତି ଅଜାତି କିଛି ବାଛ ବିଚାର ନ କରି ଦୌଡି ଯାଆନ୍ତି ମଶାଣିକୁ। ସେ କୁହନ୍ତି ଶବଦାହ ହେଉଛି ପୂଣ୍ୟ କାର୍ଯ୍ୟ। କେବଳ ରୂପସା ନୁହେଁ ଯେଉଁଠି ବି ଖବର ପାଇବେ ସବୁଜାଗାରେ ପହଞ୍ଚତ୍ ଶବଦାହ କରିବାରେ ସହାୟତା କରିବେ। ଏପରି ନିସ୍ବାର୍ଥପର ମହତ କାର୍ଯ୍ୟ ପାଇଁ ସେ ରୂପସା ଅଞ୍ଚଳରେ ବହୁ ପ୍ରଶଂସା ସାଉଁଟି ଚର୍ଚ୍ଚିତ ହୋଇପାରିଛନ୍ତି।

ବାଞ୍ଛାନିଧି ଦେ